ଭୁଶୁଡିଲା ଜେଲ ପାଚେରୀ, ୨୨ଜଣ କଏଦୀ ଗୁରୁତର ଆହତ

ଭୋପାଳ: ଭୁଶୁଡିଲା ଜେଲ ପାଚେରୀ, ଆଉ କାନ୍ଥ ତଳେ ଚାପିହୋଇ ୨୨ ଜଣ କଏଦୀ ଗୁରୁତର ଆହତ ହୋଇଛନ୍ତି | ମଧ୍ୟପ୍ରଦେଶର ଭିଣ୍ଡ ଜେଲରେ ଏହି ଦୁର୍ଘଟଣା ଘଟିଛି |

ମିଳିଥିବା ସୂଚନା ମୁତାବକ, ଆଜି ଭୋର ପ୍ରାୟ ୫ ଟା ସମୟରେ ଏହି ଅଘଟଣ ଘଟିଥିଲା | କଏଦୀମାନେ ଶୋଇଥିବାବେଳେ ଏଭଳି ଅଘଟଣ ଘଟିଥିବାରୁ ଗୁରୁତର ଆହତଙ୍କ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି | ଆହତ କଏଦୀମାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ସେମାନଙ୍କ ଅବସ୍ଥା ସ୍ଥିର ରହିଛି | ଏହି ଜେଲଟି ୧୫୦ ବର୍ଷ ପୁରୁଣା ହୋଇଥିବାବେଳେ ଆଜି ଭୋର ସମୟରେ ଜେଲ କାନ୍ଥରୁ ପ୍ଳାଷ୍ଟର ଖସିପଡୁଥିବାର କିଛି କଏଦୀ ଦେଖିଥିଲେ | ପ୍ଲାଷ୍ଟର ଖସୁଥିବା ଜେଲ ୱାର୍ଡରୁ କଏଦୀଙ୍କୁ ଅନ୍ୟ ୱାର୍ଡକୁ ସ୍ଥାନାନ୍ତର କରାଯାଉଥିବାବେଳେ ହଠାତ ଜେଲ କାନ୍ଥ ଭୁଶୁଡି ପଡିଥିଲା | ଆଉ ଏଥିରେ କିଛି କଏଦୀ ଚାପି ହୋଇ ରହିଯାଇଥିଲେ |

ତୁରନ୍ତ ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା | ଏହି ଘଟଣା ବାବଦରେ ଜଣାପଡିବା ପରେ ଘଟଣାସ୍ଥଳରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହ ବରିଷ୍ଠ ପୁଲିସ ଅଧିକାରୀମାନେ ପହଞ୍ଚିଛନ୍ତି | ଘଟଣାକୁ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କହିଛନ୍ତି ଯେ, ଜେଲର କାନ୍ଥ ବହୁତ ପୁରୁଣା ହୋଇଥିବାବେଳେ ବର୍ଷା ଯୋଗୁଁ କାନ୍ଥ ଓଦା ହୋଇ ରହିଥିଲା, ତେଣୁ ଭୁଶୁଡିପଡ଼ିଥିଲା |

ସମ୍ବନ୍ଧିତ ଖବର