ମଣିଷଙ୍କ ଜୀବନ ବଞ୍ଚାଉଛନ୍ତି ମୂଷା, ଲ୍ୟାଣ୍ଡମାଇନ ଖୋଜିବାରେ ପୁଲିସକୁ କରୁଛନ୍ତି ସାହାଯ୍ୟ

କାମ୍ବୋଡ଼ିଆ: ଆମମାନଙ୍କ ଘରେ ବେଳେବେଳେ ମୂଷାମାନଙ୍କର ଉତ୍ପାତ ଦେଖିବାକୁ ମିଳିଥାଏ | କେତେବେଳେ ପୋଷାକ କାଟିଦିଅନ୍ତି ତ କେବେ ପୁଣି ଖାଦ୍ୟ ଖାଇଦିଅନ୍ତି | ଏହା ଛଡା ମୂଷାଙ୍କ ଦ୍ୱାରା ପ୍ଲେଗ ରୋଗ ହେବାର କଥା ବି ଆପଣ ଜାଣିଥିବେ | କିନ୍ତୁ ମୂଷା ବି ମଣିଷଙ୍କର ଜୀବନ ବଞ୍ଚାନ୍ତି, ଏହି କଥା ବୋଧେ ଜାଣିନଥିବେ | ଆଜି ଆମେ ଆପଣଙ୍କୁ ମୂଷାଙ୍କ ଏମିତି କିଛି କାରନାମା ବାବଦରେ କହିବୁ ଯାହାକି ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ |
କାମ୍ବୋଡ଼ିଆରେ ମୂଷାମାନେ ପୁଲିସକୁ ଲ୍ୟାଣ୍ଡମାଇନ ଖୋଜିବାରେ ସାହାଯ୍ୟ କରୁଛନ୍ତି | ମାଟିତଳେ ଥିବା ବାରୂଦ ଗଦାକୁ ଖୋଜିବାରେ ଏହି ମୂଷାମାନଙ୍କର ସାହାଯ୍ୟ ନିଆଯାଉଛି | କାମ୍ବୋଡିଆର ମାଟି ତଳେ ବହୁ ବର୍ଷ ଆଗରୁ ଲ୍ୟାଣ୍ଡମାଇନ ଥିଲା | ସମୟେ ସମୟେ ଏଗୁଡିକ ବିସ୍ଫୋରଣ ହେଉଥିଲା | ଯାହାଫଳରେ ବହୁ ଲୋକଙ୍କର ଜୀବନ ମଧ୍ୟ ଯାଉଥିଲା | ଏହା ପରେ କିଛି ମୂଷାଙ୍କୁ ଲ୍ୟାଣ୍ଡମାଇନ ଖୋଜିବାର ତାଲିମ ଦିଆଯାଇଥିଲା | ଏହା ପରେ ଯେଉଁ ସ୍ଥାନରେ ଲ୍ୟାଣ୍ଡମାଇନ ଥିବାର ସନ୍ଦେହ କରାଯାଉଥିଲା, ସେଠାରେ ଏହି ମୂଷାମାନଙ୍କୁ ଛଡାଯାଉଥିଲା |

Photo-APOPO

ମୂଷାମାନେ ଲ୍ୟାଣ୍ଡମାଇନ ଥିବାର ସଙ୍କେତ ଦେବା ପରେ ଏହାକୁ ନଷ୍ଟ କରାଯାଇଥିଲା | ୧୯୯୭ ମସିହାରୁ ଏଯାଏଁ ଏଭଳି ଢଙ୍ଗରେ ଲ୍ୟାଣ୍ଡମାଇନ ସବୁକୁ ନଷ୍ଟ କରାଯାଉଛି | ମୂଷାମାନେ ଏ ଯାଏଁ ୧.୩୮ ଲକ୍ଷଟି ବାରୂଦ ସୁଡ଼ଙ୍ଗକୁ ଖୋଜିଥିବାବେଳେ ଲକ୍ଷାଧିକ ଲୋକଙ୍କ ଜୀବନ ବଂଚାଇଲେଣି | କାମ୍ବୋଡ଼ିଆର ଆଣ୍ଟି ପର୍ସନାଲ ଲ୍ୟାଣ୍ଡମାଇନ୍ସ ଡିଟେକ୍ସନ ପ୍ରଡକ୍ଟ ଡେଭଲପମେଣ୍ଟ ନାମକ ସଂଗଠନ ମୂଷାଙ୍କୁ ତାଲିମ ଦେବା ସହ ଲ୍ୟାଣ୍ଡମାଇନକୁ ଠାବ କରିଥାଏ | ଏହି ସଂଗଠନ କାମ୍ବୋଡ଼ିଆ ଛଡା କଲମ୍ବିଆ, ଜିମ୍ବାୱେରେ ମଧ୍ୟ ମୂଷାଙ୍କୁ ଲ୍ୟାଣ୍ଡମାଇନ ଖୋଜିବାରେ ନିୟୋଜିତ କରିଥାଏ |

Photo-APOPO

ଆଣ୍ଟି ପର୍ସନାଲ ଲ୍ୟାଣ୍ଡମାଇନ୍ସ ଡିଟେକ୍ସନ ପ୍ରଡକ୍ଟ ଡେଭଲପମେଣ୍ଟର ରିପୋର୍ଟ ମୁତାବକ ଏବେ ସେମାନଙ୍କ ପାଖାରେ ସମୁଦାୟ ୧୫୧ଟି ମୂଷା ଅଛନ୍ତି | ଏମାନଙ୍କ ମଧ୍ୟରୁ ୨୬ଟି ମୂଷା କେବଳ ପ୍ରଜନନ କାମ କରୁଥିବାବେଳେ ୫୩ଟି ମୂଷା ବାରୂଦ ସୁଡ଼ଙ୍ଗ ଖୋଜୁଥିବାବେଳେ ୩୯ଟି ମୂଷାଙ୍କୁ ଗବେଷଣା ପାଇଁ ଉପଯୋଗ କରାଯାଏ | ୧୦ଟି ମୂଷାକୁ ଏବେ ଅବସର ଦିଆଯାଇଛି |

ସମ୍ବନ୍ଧିତ ଖବର