ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ ହେବାକୁ ରାଜି ହେଲେ ଫଡନବୀସ

ମୁମ୍ବାଇ : ମହାରାଷ୍ଟ୍ର ରାଜନୀତିରେ ଗୋଟିକ ପରେ ଗୋଟିଏ ନାଟକୀୟ ମୋଡ଼ ଦେଖିବାକୁ ମିଳୁଛି । ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବେ ବୋଲି ବିଜେପି ନେତା ଦେବେନ୍ଦ୍ର ଫଡନବୀସ ଘୋଷଣା କରିବାର କିଛି ସମୟ ପରେ ପୁଣି ଏକ ଅପ୍ରତ୍ୟାଶିତ ନିଷ୍ପତ୍ତି ଶୁଣିବାକୁ ମିଳିଛି । ତାହା ହେଉଛି ଫଡନବୀସ ଉପ-ମୁଖ୍ୟମନ୍ତ୍ରୀ ହେବେ । ଏ ସଂପର୍କରେ ଖୋଦ ବିଜେପି ସଭାପତି ଜେ.ପି.ନଡ୍ଡା ଘୋଷଣା କରିଛନ୍ତି ।

 

ପୂର୍ବରୁ ଫଡନବୀସ ନିଜେ ଘୋଷଣା କରିଥିଲେ ଯେ ସରକାରରେ ସାମିଲ ହେବେ ନାହିଁ । କିନ୍ତୁ ଏବେ ସରକାରରେ ସାମିଲ ହେବାକୁ ରାଜି ହୋଇଛନ୍ତି ବୋଲି ଖୋଦ ଗୃହମନ୍ତ୍ରୀ ଅମିତ ଶାହା ଟୁଇଟ କରି ଘୋଷଣା କରିଛନ୍ତି । ନିଜ ଟୁଇଟରେ ଶାହା ଲେଖିଛନ୍ତି ଯେ ମହାରାଷ୍ଟ୍ର ରାଜ୍ୟ ଓ ଜନତାଙ୍କ ହିତ ପାଇଁ ଦେବେନ୍ଦ୍ରଜୀ ସରକାରରେ ସାମିଲ ହେବା ପାଇଁ ରାଜି ହୋଇଛନ୍ତି । ଏହା ମହାରାଷ୍ଟ୍ର  ପ୍ରତି ତାଙ୍କର ନିଷ୍ଠା ଓ ସେବାଭାବର ପରାକାଷ୍ଠା । ମୁଁ ତାଙ୍କୁ ହୃଦୟର ସହ ଅଭିନନ୍ଦନ ଜଣାଉଛି ।

ଏହା ପୂର୍ବରୁ ବିଜେପି ସଭାପତି ଜେପି ନଡ୍ଡା ଘୋଷଣା କରିଥିଲେ ଯେ ଦେବେନ୍ଦ୍ର ଫଡନବୀସ ମହାରାଷ୍ଟ୍ର ସରକାରରେ ସାମିଲ ହୁଅନ୍ତୁ ବୋଲି ବିଜେପିର କେନ୍ଦ୍ରୀୟ ନେତୃତ୍ବ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଣୁ ତାଙ୍କୁ ବ୍ୟକ୍ତିଗତ ଭାବେ ଅନୁରୋଧ କରାଯାଉଛି କି ସେ ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ହୁଅନ୍ତୁ ।

ସମ୍ବନ୍ଧିତ ଖବର