ମହାରାଷ୍ଟ୍ର ସଚିବାଳୟରେ ବୋମା ଥିବା ନେଇ ସୂଚନା ପରେ ସୁରକ୍ଷା ବ୍ୟବସ୍ଥା କଡାକଡି, ଯାଞ୍ଚ କରୁଛନ୍ତି ବୋମା ନିଷ୍କ୍ରିୟକାରୀ ଦଳ

ମୁମ୍ବାଇ: ମହାରାଷ୍ଟ୍ର ସଚିବାଳୟରେ ବୋମା ଥିବା ଖବର ଆସିବା ପରେ ସଚିବାଳୟ ଓ ତାର ଆଖ ପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏହାସହ ବୋମା ଚିହ୍ନଟ ଓ ନିଷ୍କ୍ରିୟକାରୀ ଟିମଙ୍କ ସହାୟତାରେ ମହାରାଷ୍ଟ୍ର ବିଧାନମଣ୍ଡଳ ସଚିବାଳୟକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି ।

ଏନେଇ ମହାରାଷ୍ଟ୍ର ପୁଲିସ କହିଛନ୍ତି କି ବୋମା ଚିହ୍ନଟ ଓ ନିଷ୍କ୍ରିୟକାରୀ ଟିମ୍ ବିଧାନମଣ୍ଡଳ ସଚିବାଳୟରେ ଯାଞ୍ଚ ଜାରି ରଖିଛି । ପୁଲିସ କହିଛି କି, କଣ୍ଟ୍ରୋଲ ରୁମକୁ ଏକ ଫୋନ କଲ ଆସିଥିଲା । ଫୋନ କରିଥିବା ବ୍ୟକ୍ତି ଜଣଙ୍କ ସଚିବାଳୟରେ ବୋମା ଥିବା କଥା ସୂଚନା ଦେଇଥିଲା । ଏହି କଲକୁ ଆଧାର କରି ଏବେ ଯାଞ୍ଚ ଚାଲିଛି । ଏହା ସହ ମନ୍ତ୍ରାଳୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ସୂଚନା ମୁତାବକ, ନାଗପୁରର ସାଗର ନାମରେ ଜଣେ ବ୍ୟକ୍ତି ଆଜି ମଧ୍ୟାହ୍ନ ୧୨.୪୦ ରେ ପୁଲିସ କଣ୍ଟ୍ରୋଲ ରୁମକୁ ଫୋନ କରି ସଚିବାଳୟ ଭିତରେ ବୋମା ଥିବା କଥା କହିଥିଲା । ଏହାପରେ ପୁଲିସ ସେଠାରେ ପହଂଚିବା ସହ ବୋମା ନିଷ୍କ୍ରିୟକାରୀ ଟିମ୍ ପହଂଚି ଯାଞ୍ଚ ଆରମ୍ଭ କରିଛନ୍ତି । ଏହାସହ ଖବର ଲେଖାହେବା ଯାଏ ବୋମା କିମ୍ବା ବୋମା ସମ୍ବନ୍ଧିତ କୌଣସି ବସ୍ତୁ ସଚିବାଳୟ ପରିସରରୁ ମିଳିନାହିଁ । ଅନ୍ୟପଟେ ପୁଲିସ କହିଛି କି, ଯେଉଁବ୍ୟକ୍ତି ଏଭଳି ଭ୍ରମାତ୍ମକ ଖବର ଦେଇ ଭୟ ସୃଷ୍ଟି କରିଛି ତାକୁ ଗିରଫ୍ କରାଯିବା ସହ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସମ୍ବନ୍ଧିତ ଖବର