ସରକାରଙ୍କ କର୍ତ୍ତବ୍ୟ ଜନ କଲ୍ୟାଣ କରିବା, କିନ୍ତୁ ସରକାରୀ ଅର୍ଥ ଉପଯୁକ୍ତ ଉପାୟରେ ବିନିଯୋଗ ହେଉ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସମାଜ କଲ୍ୟାଣ ନାଁରେ ରାଜନୈତିକ ଦଳମାନେ କରୁଥିବା ମାଗଣା ବଣ୍ଟନ ପ୍ରସଙ୍ଗରେ ପୁଣି ନିଜର ମତ ରଖିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ କହିଛନ୍ତି ଯେ, ଏହାକୁ ରୋକିବାକୁ କୋର୍ଟ ରାଜନୈତିକ ଦଳମାନଙ୍କୁ ନିର୍ଦ୍ଦେଶ ଦେଇପାରିବେ ନାହିଁ । ସରକାରଙ୍କ କର୍ତ୍ତବ୍ୟ ହେଉଛି (ଜନ) କଲ୍ୟାଣମୂଳକ କାମ କରିବା ।

ତେବେ ସମସ୍ୟା ହେଉଛି ସରକାରୀ ଅର୍ଥ କିପରି ଉପଯୁକ୍ତ ଉପାୟରେ ଖର୍ଚ୍ଚ ହେବ । ଏହା ଏକ ଜଟିଳ ପ୍ରସଙ୍ଗ । ପୁଣି ଆଉ ଏକ ପ୍ରଶ୍ନ ହେଉଛି, କୋର୍ଟ ଏହାକୁ ରୋକିବାକୁ ସକ୍ଷମ କି ନା ?

ମାଗଣା ବଣ୍ଟନ ପ୍ରସଙ୍ଗରେ ଡିଏମକେ ପକ୍ଷରୁ ସୁପ୍ରିମକୋର୍ଟରେ କରାଯାଇଥିବା ଏକ ପିଟିସନର ବିଚାର କରି ଖଣ୍ଡପୀଠ ଏହା କହିଛନ୍ତି ।  ନିଜ ପିଟିସନରେ ଡିଏମକେ କହିଥିଲା ଯେ କଲ୍ୟାଣମୂଳକ ସ୍କିମକୁ ମାଗଣା ବଣ୍ଟନ କୁହାଯାଇପାରିବ ନାହିଁ ।

ଏହି ପ୍ରସଙ୍ଗରେ ଗତ ସପ୍ତାହରେ ମଧ୍ୟ ସୁପ୍ରିମକୋର୍ଟ ଏକ ମନ୍ତବ୍ୟ ଦେଇଥିଲେ । କୋର୍ଟ କହିଥିଲେ, କଲ୍ୟାଣମୂ​ଳକ ସ୍କିମ୍ ଓ ମାଗଣା ବଣ୍ଟନ ମଧ୍ୟରେ ଏକ ତଫାତ୍ ରହିଛି । ଆମକୁ ଅର୍ଥନୀତି ଓ ସମାଜ କଲ୍ୟାଣ ମଧ୍ୟରେ ଏକ ଭାରସାମ୍ୟ ରହିବା ଉଚିତ ବୋଲି ସୁପ୍ରିମକୋର୍ଟ ମତ ଦେଇଛନ୍ତି । ତେବେ ଅଯଥା ଓ ଅଯୁକ୍ତିକର ମାଗଣା ସ୍କିମ ଘୋଷଣା କରୁଥିବା ରାଜନୈତିକ ଦଳଙ୍କ ମାନ୍ୟତା ପ୍ରତ୍ୟାହାର ନେଇ କୌଣସି ନିର୍ଦ୍ଦେଶ ଦିଆଯିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଦେଇଥିଲେ ।

 

 

ସମ୍ବନ୍ଧିତ ଖବର