ମାନିଲା : ମୁକ୍ତ ହେଲେ ମୁଣ୍ଡଜାମିନ ଥିବା ୩୦ ବ୍ୟକ୍ତି, ବନ୍ଧୁକଧାରୀ ଗିରଫ

ମାନିଲା : ଦକ୍ଷିଣ-ପୂର୍ବ ଏସୀୟ ଦେଶ ଫିଲିପାଇନ୍ସର ରାଜଧାନୀ ମାନିଲାରେ ବିଗତ ପ୍ରାୟ ୧୨ ଘଣ୍ଟା ଧରି ଚାଲିଥିବା ବନ୍ଧକ ଘଟଣାର ଅନ୍ତ ହୋଇଛି । ପ୍ରାୟ ୩୦ ଲୋକଙ୍କୁ ମୁଣ୍ଡଜାମିନ ରଖିଥିବା ବ୍ୟକ୍ତି ଆର୍ଚି ପାରେର ଦାବି ପୂରଣ ହେବା ପରେ ସେ ଲୋକମାନଙ୍କୁ ଛାଡ଼ିଦେଇଛି । ଏହା ପରେ ତାକୁ ପୁଲିସ ଗିରଫ କରିଛି ।
ଅନ୍ତର୍ଜାତୀୟ ଗଣମାଧ୍ୟମ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ସ୍ଥାନୀୟ ସମୟ ସକାଳ ୧୦ ଟା (ଭାରତୀୟ ସମୟ ସକାଳ ୭ଟା)ରେ ପାରେ ସାନଜୁଆନ ସିଟିରେ ଥିବା ଗ୍ରୀନ ହିଲ୍ସ ସପିଂ ମଲରେ ପ୍ରବେଶ କରି ଗୁଳି ଚଳାଇବା ଆରମ୍ଭ କରିଥିଲା । ଏହି ଗୁଳିଚାଳନାରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିଲା । ଏହାପରେ ସେ ୨ୟ ମହଲାରେ ଥିବା ମଲ୍‌ର ଅଫିସକୁ ଯାଇ ସେଠାରେ ୩୦ ଜଣ କର୍ମଚାରୀଙ୍କୁ ବନ୍ଧକ ରଖିଥଲା ।
ସେ ଉକ୍ତ ସପିଂ ମଲ୍‌ର ଜଣେ ପୂର୍ବତନ ନିରାପତ୍ତା କର୍ମଚାରୀ ବୋଲି ଜଣାପଡ଼ିଛି । ତାକୁ ଚାକିରିରୁ ବାହାର କରାଯିବାରୁ ସେ ରାଗିଯାଇ ଏପରି କରିଥିବା କୁହାଯାଉଛି । ଲୋକମାନଙ୍କୁ ବନ୍ଧକ ରଖିବା ପରେ ସେ ଦାବି କରିଥିଲା ଯେ ତାକୁ ଚାକିରିରୁ ବାହାର କରିଥିବା ସାସକର ଆର୍ମରଡ ସିକ୍ୟୁରିଟି ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଇସ୍ତଫା ଦିଅନ୍ତୁ । ତା ଦାବି ମୁତାବକ ଏହି କମ୍ପାନିର ୬ ଜଣ ନିର୍ଦ୍ଦେଶକ ଇସ୍ତଫା ଦେବା ପରେ ସେ ବନ୍ଧକ ଲୋକମାନଙ୍କୁ ଛାଡ଼ିଦେଇଥିଲା ।

ସମ୍ବନ୍ଧିତ ଖବର