ମାରିୟୁପୋଲ ନଗରୀ ଉପରେ ବିଜୟ ଘୋଷଣା କଲା ରୁଷ, ଆତ୍ମସମର୍ପଣ କଲେ ୟୁକ୍ରେନ ସୈନ୍ୟ

ମସ୍କୋ : ୟୁକ୍ରେନର ବନ୍ଦର ନଗରୀ ମାରିୟୁପୋଲକୁ ସଂପୂର୍ଣ୍ଣ ଅଧିକାର କରିନେଇଥିବା ଘୋଷଣା କରିଛି । ଏହା ସହିତ ଗତ କିଛି ସପ୍ତାହ ହେଲା ମାରିୟୁପୋଲ ଓ ଏହି ନଗରୀରେ ଥିବା ଆଜବଷ୍ଟାଲ ଷ୍ଟିଲ ପ୍ଲାଣ୍ଟ ଅଧିକାର କରିବାକୁ ରୁଷ ଚଳାଇଥିବା ସାମରିକ ଅଭିଯାନ ଶେଷ ହୋଇଛି ।

ଏହି ବିଜୟ ସମ୍ପର୍କରେ ରୁଷର ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ସୋଇଗୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସୂଚନା ଦେଇଛନ୍ତି । ଆଜବଷ୍ଟାଲ ଷ୍ଟିଲ ପ୍ଲାଣ୍ଟରେ ଲୁଚିଥିବା ୟୁକ୍ରେନ ସୈନ୍ୟଙ୍କ ଆତ୍ମସମର୍ପଣ ସହିତ ଏହି ଷ୍ଟିଲ ପ୍ଲାଣ୍ଟ ସମେତ ସମଗ୍ର ମାରିୟୁପୋଲ ସହର ‘ମୁକ୍ତ’ ହୋଇଛି ବୋଲି ସେ ପୁଟିନଙ୍କୁ ଜଣାଇଛନ୍ତି ।

ସେ କହିଛନ୍ତି ଯେ ଗତ ସୋମବାରଠାରୁ ଏହି ଷ୍ଟିଲ ପ୍ଲାଣ୍ଟରେ ଲୁଚିଥିବା ପ୍ରାୟ ୨୪୩୯ ଜଣ ୟୁକ୍ରେନୀୟ ସୈନ୍ୟ ଆତ୍ମସମର୍ପଣ କରିଛନ୍ତି । କେବଳ ଶୁକ୍ରବାର ଦିନ ୫୦୦ ଜଣ ସୈନ୍ୟ ଆତ୍ମସମର୍ପଣ କରିଛନ୍ତି । ଏହି ସୈନ୍ୟମାନେ ଆତ୍ମସମର୍ପଣ କରୁଥିବା ଏକ ଭିଡିଓ ରୁଷ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଛି । ଭିଡିଓରେ ଦେଖାଯାଉଛି ଯେ ୟୁକ୍ରେନ ସୈନ୍ୟମାନେ ଅସ୍ତ୍ର ତ୍ୟାଗ କରି ଆତ୍ମସମର୍ପଣ କରୁଛନ୍ତି ।

ପୂର୍ବରୁ ରୁଷ ପକ୍ଷରୁ ଘୋଷଣା କରାଯାଇଥିଲା ଯେ ଷ୍ଟିଲ ପ୍ଲାଣ୍ଟରେ ଲୁଚିଥିବା ସୈନ୍ୟମାନେ ଆତ୍ମସମର୍ପଣ କଲେ ସେମାନଙ୍କ ଉପରେ ଆକ୍ରମଣ କରାଯିବ ନାହିଁ ଓ ସହର ଉପରେ ଆକ୍ରମଣକୁ ବନ୍ଦ କରାଯିବ । ତେବେ ରୁଷର ଏହି ଦାବି ସମ୍ପର୍କରେ ୟୁକ୍ରେନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ ।

ସମ୍ବନ୍ଧିତ ଖବର