ମୁଖ୍ୟମନ୍ତ୍ରୀ ହେବେ ସ୍ମୃତି ଇରାନୀ!

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନରେ ବିରୋଧୀ କଂଗ୍ରେସ ଠାରୁ କଡ଼ା ଟକ୍କର ପାଇ ସୁଦ୍ଧା ବିଜେପି ରେକର୍ଡ ଷଷ୍ଠ ଥର ଲାଗି ଶାସନ କ୍ଷମତା ବଜାୟ ରଖିଛି। ତେବେ ନିଜ ଦଖଲରେ ଥିବା ଅନେକ ଦୃଢ଼ ନିଶ୍ଚିତ ଆସନକୁ ଚଳିତ ନିର୍ବାଚନରେ ହରାଇ ବିଜେପି ଏବେ ସେଠାକାର ନେତୃତ୍ୱରେ କିଛି ତ୍ରୁଟିବିଚ୍ୟୁତି ରହିଥିବା ଅନୁମାନ କରୁଛି। ସୁତରାଂ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦକୁ ବିଜୟ ରୁପାନି ବଜାୟ ରଖିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଅପରପକ୍ଷେ, ରୁପାନିଙ୍କ ବିକଳ୍ପ ଭାବେ ଏକ ଲୋକପ୍ରିୟ ଚେହେରାକୁ ଦଳ ଗାଦିରେ ବସାଇବା କଥା ବିଚାର କରୁଥିବା ଚର୍ଚ୍ଚା ହେଉଛି।
୨୦୧୨ ବିଧାନସଭା ନିର୍ବାଚନ ଏବଂ ଚଳିତ ନିର୍ବାଚନରେ ବିଜେପି ରାଜ୍ୟରେ ହାସଲ କରିଥିବା ଭୋଟହାର ପାଖାପାଖି ସମାନ ରହିଛି। ତେବେ ଗତ ଥର ଅପେକ୍ଷା ଦଳ ୧୬ଟି ଆସନ ହରାଇ ବସିଛି। ତେଣୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ବିଜୟ ରୁପାନିଙ୍କ ମୁଣ୍ଡରେ ଖଣ୍ଡା ଝୁଲୁଥିବା ରାଜନୀତି ସମୀକ୍ଷକଙ୍କ ମତ। ଅବଶ୍ୟ ରୁପାନି ପଶ୍ଚିମ ରାଜକୋଟ ଆସନରୁ ବିଜୟ ଲାଭ କରି ନିଜ ପାଇଁ କିଛିଟା ଆଶ୍ୱସ୍ତି ଆଣିଛନ୍ତି।

ତେବେ ତାଙ୍କ ସ୍ଥାନରେ ଅନ୍ୟତମ ଲୋକପ୍ରିୟ ଚେହେରା ତଥା କେନ୍ଦ୍ର ବୟନ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀସ୍ମୃତି ଇରାନିଙ୍କୁ ଅଭିଷେକ କରାଇବା ପାଇଁ ବିଜେପି ନେତୃମଣ୍ଡଳୀ ବିଚାର କରୁଥିବା ନେଇ ଚାପା ଗୁଞ୍ଜରଣ ଶୁଣିବାକୁ ମିଳୁଛି। କାରଣ ନିର୍ବାଚନ ଫଳାଫଳ ପରେ ପରେ ଦଳର କେନ୍ଦ୍ରୀୟ ନେତୃତ୍ୱ ମୁଖ୍ୟମନ୍ତ୍ରୀ ପଦବି ପାଇଁ ସାଧାରଣ ଲୋକଙ୍କର ନିକଟତର ହେଲା ଭଳି ଜଣେ ଲୋକପ୍ରିୟ ମୁହଁ ଖୋଜୁଥିବା ପରୋକ୍ଷରେ ଇସାରା ଦେଇଛନ୍ତି। ସେହିପରି, ଗୁଜରାଟର ମୁଖ୍ୟମନ୍ତ୍ରୀ ଭାର ହାସଲ କରିବା ପାଇଁ ସ୍ମୃତିଙ୍କ ପରେ କେନ୍ଦ୍ରରେ ଥିବା ସଡ଼କ ପରିବହନ, ରାଜପଥ ଓ ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମାନୁଷ ଏଲ୍‌ ମାଣ୍ଡବ୍ୟ ଦ୍ୱିତୀୟ ପସନ୍ଦ ଭାବେ ଉଭା ହୋଇଛନ୍ତି। ସୌରାଷ୍ଟ୍ର ଅଞ୍ଚଳର ଜଣେ ପଟିଦାର ଥିବା ମାଣ୍ଡବ୍ୟ କୃଷକମାନଙ୍କର ଅତି ଲୋକପ୍ରିୟ ନେତା ଭାବେ ପରିଗଣିତ। ଅନ୍ୟମାନଙ୍କ ମଧ୍ୟରେ ବର୍ତ୍ତମାନର କର୍ଣ୍ଣାଟକ ରାଜ୍ୟପାଳ ବାଦୁଭାଇ ଭାଲାଙ୍କ ନାମ ମଧ୍ୟ ଏଥିପାଇଁ ଚର୍ଚ୍ଚା ଚାଲିଥିବା ଜଣାଯାଇଛି। ଅପରପକ୍ଷେ, ଫଳାଫଳ ଘୋଷଣା ପରେ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ ନେତା ଅରୁଣ ଜେଟ୍‌ଲି ଦେଇଥିବା ମନ୍ତବ୍ୟରୁ ରୁପାନିଙ୍କୁ ହଟାଯିବା ସମ୍ଭାବନା ଶୂନ ବୋଲି କେହି କେହି ବିଚାର କରୁଛନ୍ତି। ରାଜ୍ୟରେ ଶାସନ ବିରୋଧୀ ସ୍ରୋତକୁ ପ୍ରତିହତ କରି ୪୯ ପ୍ରତିଶତ ଭୋଟ ହାତେଇଥିବା ମୁଖ୍ୟମନ୍ତ୍ରୀ ନିଶ୍ଚିତ ଭାବେ ଲୋକପ୍ରିୟ ବୋଲି ଜେଟଲି କହିଥିଲେ।

ସମ୍ବନ୍ଧିତ ଖବର