ମୁସଲିମ ଛାତ୍ରଙ୍କ ହିଜାବକୁ ବିରୋଧ କରି କମଳା ରଙ୍ଗର ଗାମୁଛା ପିନ୍ଧି କଲେଜ ଆସିଲେ ଅନ୍ୟ ଛାତ୍ର

ବେଙ୍ଗାଲୁରୁ : କର୍ଣ୍ଣାଟକର କୋପା ନାମକ ସ୍ଥାନର ଏକ ସରକାରୀ ମହାବିଦ୍ୟାଳୟରେ ଛାତ୍ରମାନେ ବେକରେ କମଳା ରଙ୍ଗର ଗାମୁଛା(ସ୍କାର୍ଫ) ଗୁଡାଇ ମହାବିଦ୍ୟାଳୟ ଆସି ମୁସଲିମ ଛାତ୍ରଙ୍କ ହିଜାବକୁ ବିରୋଧ କରିଛନ୍ତି । ରିପୋର୍ଟ ଅନୁସାରେ ପୂର୍ବରୁ ଏହି ମହାବିଦ୍ୟାଳୟ ଛାତ୍ରମାନଙ୍କୁ କମଳା ରଙ୍ଗର ଗାମୁଛା ଗୁଡାଇ ଆସିବାକୁ ଅନୁମତି ପ୍ରଦାନ କରିଥିଲା । ଏହାପରେ ପୁଣି ଏକ ଘୋଷଣା ଜାରି କରି ମହାବିଦ୍ୟାଳୟ କର୍ତ୍ତୃପକ୍ଷ ୧୦ ଜାନୁୟାରୀ ପର୍ଯନ୍ତ ସମସ୍ତ ଛାତ୍ରଙ୍କୁ ନିଜ ଇଛ୍ଛା ଅନୁସାରେ ପୋଷାକ ପିନ୍ଧି ଆସିବାକୁ କହିଥିଲେ । ଏହି ଘୋଷଣାର ବିରୋଧରେ ଛାତ୍ରମାନେ କମଳା ରଙ୍ଗର ଗାମୁଛା ଗୁଡାଇ ମହାବିଦ୍ୟାଳୟ ଆସୁଛନ୍ତି ।
ମହାବିଦ୍ୟାଳୟର ଅଧ୍ୟକ୍ଷ ଅନନ୍ତ ମୂର୍ତ୍ତି କହିଛନ୍ତି,ପିତୃ-ମାତୃ ସମ୍ମିଳନୀ ପରେ ଛାତ୍ରମାନେ କଣ ପିନ୍ଧିକି ମହାବିଦ୍ୟାଳୟ ଆସିବେ ସେ ବିଷୟରେ ନିଷ୍ପତ୍ତି ନିଆଯିବ । ୩ ବର୍ଷ ପୂର୍ବରୁ ଛାତ୍ରମାନେ କଣ ପିନ୍ଧିବେ ସେ ବିଷୟରେ ନିଷ୍ପତ୍ତି ନିଆଯାଇଥିଲା, ଯାହାକୁ ଆଜି ପର୍ଯ୍ୟନ୍ତ ପାଳନ କରାଯାଉଥିଲା କିନ୍ତୁ କିଛି ଛାତ୍ର ହଠାତ୍ କମଳା ଗାମୁଛା ଗୁଡାଇ ମହାବିଦ୍ୟାଳୟ ଆସିବାକୁ ଲାଗିଲେ ।

ସୂଚନା ଅନୁସାରେ ଜଣେ ଛାତ୍ର କହିଛନ୍ତି, ୩ ବର୍ଷ ପୂର୍ବରୁ ମଧ୍ୟ ହିଜାବକୁ ନେଇ ମହାବିଦ୍ୟାଳୟରେ ବିବାଦ ସୃଷ୍ଟି ହୋଇଥିଲା । ହିଜାବ ପିନ୍ଧି ନ ଆସିବାକୁ ସେତେବେଳେ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ କିଛି ଦିନ ହେଲା କିଛି ଛାତ୍ର ପୁଣି ହିଜାବ ପିନ୍ଧି ବିଦ୍ୟାଳୟ ଆସିବାକୁ ଲାଗିଲେ । ଏହାର ବିରୋଧରେ କିଛି ଛାତ୍ର କମଳା ଗାମୁଛା ପିନ୍ଧି ମହାବିଦ୍ୟାଳୟ ଆସୁଛନ୍ତି । ଛାତ୍ରମାନେ କହିଛନ୍ତି ଯଦି ଏହି ମାମଲାର କୌଣସି ଫଇସଲା ନ ହୁଏ ଓ ଛାତ୍ରମାନେ ହିଜାବ ପିନ୍ଧି ବିଦ୍ୟାଳୟ ଆସନ୍ତି ତେବେ ବିରୋଧ ତୀବ୍ରତର ହେବ ।

ସମ୍ବନ୍ଧିତ ଖବର