ମୁହଁ ଖୋଲିଲେ ଜଷ୍ଟିସ ସିକ୍ରି : ବିବାଦର ଅବସାନ ହେଉ

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟ ବିଚାରପତି ଏ.କେ. ସିକ୍ରିଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅବସର ପରେ ରାଜ୍ୟଗୋଷ୍ଠୀ ଟ୍ରିବ୍ୟୁନାଲରେ ସଦସ୍ୟ ହେବାକୁ ଦିଆଯାଇଥିବା ପ୍ରସ୍ତାବକୁ ନେଇ ବିବାଦ ସୃଷ୍ଟି ହେବାପରେ ଆଜି ଏହି ମାମଲାରେ ଜଷ୍ଟିସ୍‌ ସିକ୍ରି ମୁହଁ ଖୋଲିଛନ୍ତି। ପିଟିଆଇକୁ ସେ କହିଛନ୍ତ, ମୁଁ କୌଣସି ବିବାଦରେ ପଡ଼ିବାକୁ ଚାହୁନାହିଁ। ମୁଁ ଚାହୁଛି ଏ ସବୁ ବିବାଦର ତୁରନ୍ତ ଅବସାନ ଘଟୁ। ଏହି ମାମଲାରେ ଅନ୍ୟ କିଛି ମନ୍ତବ୍ୟ ଦେବାକୁ ସେ ମନା କରିଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ନେଇ କଂଗ୍ରେସ ସମେତ କେତେକ ବିରୋଧୀ ଦଳ ନେତା ଏବଂ ଓକିଲ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହା ଜଷ୍ଟିସ ସିକ୍ରିଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଥିଲା। କଂଗ୍ରେସ ନେତା ଅହମ୍ମଦ ପଟେଲ ଏବଂ ଆଇନଜୀବୀ ପ୍ରଶାନ୍ତ ଭୂଣେ ଏହି ମାମଲାକୁ ସିବିଆଇ ବିବାଦ ସହିତ ଯୋଡ଼ିଥିଲେ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମାମଲାକୁ ରାଫେଲ ସହିତ ଯୋଡ଼ି ଟ୍ବିଟ୍‌ କରିଥିଲେ। ମାମଲା ଅଧିକ ବିବାଦୀୟ ହେଉଥିବାରୁ ଏଥିରେ ତୁରନ୍ତ ପୂର୍ଣ୍ଣଛେଦ ପଡ଼ିବା ଆବଶ୍ୟକ ବୋଲି ସେ କହିଛନ୍ତି। ଏହି ମାମଲାରେ ଏଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗି କହିଛନ୍ତି ଯେ ଜଷ୍ଟିସ ସିକ୍ରିଙ୍କୁ ବିନା କାରଣରେ ରାଜନୈତିକ ସ୍ବାର୍ଥ ରକି କିଛି ଲୋକ ଟାର୍ଗେଟ୍‌ କରୁଛନ୍ତି ଏବଂ ଏହା କଦାପି ଗ୍ରହଣୀୟ ନୁହେଁ।

ସମ୍ବନ୍ଧିତ ଖବର