ମୋଦୀଙ୍କ ସହ କଥା ହେଲେ ନବୀନ: ଓଡ଼ିଶା ସରକାର ଓ ରାଜ୍ୟବାସୀଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ ନୀତିରେ ରାଜ୍ୟ ସରକାର କାର୍ଯ୍ୟ କରିଛନ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଫୋନ୍‌ରେ କଥା ହୋଇଛନ୍ତି। ରେଳ ଦୁର୍ଘଟଣାରେ ଆହତ ଯାତ୍ରୀଙ୍କ ଚିକିତ୍ସା ଓ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଅବଗତ କରାଇଥିଲେ। ରାଜ୍ୟର ବିଭିନ୍ନ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିବା ଯାତ୍ରୀମାନଙ୍କ ଜୀବନ ବଞ୍ଚାଇବା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଡାକ୍ତର ଓ ମେଡିକାଲ ଛାତ୍ରଛାତ୍ରୀମାନେ ପାରୁ ପର୍ଯ୍ୟନ୍ତ ଚେଷ୍ଟା ଜାରି ରଖିଛନ୍ତି। ଆହତ ଯାତ୍ରୀଙ୍କୁ ରକ୍ତ ଦେବା ପାଇଁ ଡାକ୍ତର, ମେଡିକାଲ ଛାତ୍ରଛାତ୍ରୀ ଓ ସାଧାରଣ ଜନତା ସ୍ବଇଚ୍ଛାରେ ଆଗେଇ ଆସିଥିଲେ। ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’, ଏହି ନୀତିକୁ ଅନୁସରଣ କରି ରାଜ୍ୟ ସରକାର ଉଦ୍ଧାର କାର୍ଯ୍ୟ, ଆହତଙ୍କୁ ହସ୍ପିଟାଲ୍‌ ନେବା, ସେମାନଙ୍କ ଚିକିତ୍ସା ବ୍ୟବସ୍ଥା କରିବା ଆଦି କାର୍ଯ୍ୟରେ ସାମାନ୍ୟ ବି ଅବହେଳା କରିନାହାନ୍ତି। ବର୍ତ୍ତମାନ ବିଭିନ୍ନ ସରକାରୀ ଓ ଘରୋଇ ହସ୍ପିଟାଲ୍‌ରେ ୩୮୨ ଜଣ ଯାତ୍ରୀ ଚିକିତ୍ସିତ ହେଉଛନ୍ତି ଶ୍ରୀ ପଟ୍ଟନାୟକ ସୂଚନା ଦେଇଥିଲେ।

ବିପଦ ସମୟରେ ଓଡ଼ିଶା ସରକାର ଦକ୍ଷତାର ସହ ତ୍ବରିତ ପଦକ୍ଷେପ ନେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ। ଆବଶ୍ୟକ ସ୍ଥଳେ କେନ୍ଦ୍ର ସରକାର ସବୁପ୍ରକାର ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଥିଲେ। ସଙ୍କଟ ସମୟରେ ଓଡ଼ିଶା ଲୋକଙ୍କ ସହଯୋଗ ଓ ସାହାଯ୍ୟକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ।

ସମ୍ବନ୍ଧିତ ଖବର