ରାଜି ହେଲା ପାକିସ୍ତାନ, କୁଳଭୂଷଣଙ୍କୁ ଦୂତାବାସ ସହାୟତା ମିଳିବ

ଇସ୍‌ଲାମାବାଦ: ପାକିସ୍ତାନ ଜେଲ୍‌ରେ ବନ୍ଦୀ ଥିବା ଭାରତର ପୂର୍ବ ନୌସେନା ଅଫିସର କୁଳଭୂଷଣ ଯାଦବଙ୍କ ମାମଲାରେ ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ (ଆଇସିଜେ)ର ରାୟ ଘୋଷଣା ପରେ ଏବେ ପାକିସ୍ତାନ ନିଜ ଭୁଲ୍‌ ସୁଧାରିବାକୁ ବାଧ୍ୟ ହୋଇଛି। କୁଳଭୂଷଣଙ୍କୁ ଦୂତାବାସ ସହାୟତା ଯୋଗାଇବାକୁ ଭାରତର ଦାବିକୁ ପୂର୍ବରୁ ବାରମ୍ବାର ପ୍ରତ୍ୟାଖ୍ୟାନ କରି ଆସିଥିବା ପାକିସ୍ତାନ ଆଜି କହିଛି ଯେ କୁଳଭୂଷଣଙ୍କୁ ରାଷ୍ଟ୍ରର ନିୟମ ମୁତାବକ ଦୂତାବାସ ସହାୟତା ଯୋଗାଇ ଦିଆଯିବ। ଏ ଦିଗରେ ପାକିସ୍ତାନ ସରକାର ପଦକ୍ଷେପ ଆରମ୍ଭ କରିଛନ୍ତି ବୋଲି ଆଜି ପାକ୍‌ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି। କୁଳଭୂଷଣଙ୍କ ମାମଲାରେ ଆଇସିଜେର ରାୟ ଚୂଡ଼ାନ୍ତ ଥିବାରୁ ପାକିସ୍ତାନ ସାମରିକ ଅଦାଲତ ପୂର୍ବରୁ ଯେଉଁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲା ଏବେ ତାହାର ପୁନର୍ବିଚାର କରିବାକୁ ବାଧ୍ୟ ହେବ। କୁଳଭୂଷଣ କେବଳ ଜଣେ ଭାରତୀୟ ନାଗରିକ ଏବଂ ତାଙ୍କ ବିରୋଧରେ ପାକିସ୍ତାନ ଯେଉଁ ଅଭିଯୋଗ ଆଣିଥିଲା ତାହା ପ୍ରମାଣିତ ହୋଇନାହିଁ ବୋଲି ଆଇସିଜେ ସ୍ପଷ୍ଟ କରିବା ପରେ ଏବେ କୁଳଭୂଷଣଙ୍କ ମୁକ୍ତି ନେଇ ନୂଆ ଆଶା ସଂଚାର ହୋଇଛି।
ମାର୍ଚ ୩, ୨୦୧୬ରେ ପାକିସ୍ତାନ କୁଳଭୂଷଣ ଯାଦବଙ୍କୁ ଗିରଫ କରିଥିଲା ଏବଂ ସେ ଜଣେ ଭାରତୀୟ ଗୁପ୍ତଚର ଏବଂବଂ ଆତଙ୍କବାଦୀ କାର୍ଯ୍ୟକଳାପରେ ସଂପୃକ୍ତ ବୋଲି ଦର୍ଶାଇଥିଲା। ଯାଦବଙ୍କୁ ବାଲୋଚିସ୍ତାନରୁ ପାକିସ୍ତାନ ଗିରଫ କରିଥିବା କହିଥିବା ବେଳେ ପରବର୍ତ୍ତୀ ସମୟରେ ତାଙ୍କୁ ଇରାନ୍‌କୁ ଅପହରଣ କରାଯାଇଥିବା ଜଣାପଡ଼ିଥିଲା। ମାର୍ଚ ୨୫ରେ କୁଳଭୂଷଣଙ୍କ ଗିରଫଦାରୀ ନେଇ ଭାରତକୁ ଆନୁଷ୍ଠାନିକ ଭାବେ ପାକିସ୍ତାନ ଅବଗତ କରାଇଥିଲେ ମଧ୍ୟ ଦୂତାବାସ ସହାୟତା ଏବଂ କୌଣସି ଯୋଗାଯୋଗ ସୁଯୋଗ ଦେଇନଥିଲା। ଭାରତ ସରକାର ଏ ବାବଦରେ ୧୬ ଥର ଅନୁରୋଧ କରିଥିଲେ ମଧ୍ୟ ପାକିସ୍ତାନ ଏଥିପ୍ରତି କର୍ଣ୍ଣାପାତ କରିନଥିଲା।

ସମ୍ବନ୍ଧିତ ଖବର