ରାଜ୍ୟସଭା ସମାଚାର

ଡିପୋଜିଟ୍‌ ଇନ୍‌ସୁରାନ୍ସ ସଂଶୋଧିତ ବିଲ୍‌କୁ ବିଜେଡିର ସମର୍ଥନ
ନୂଆଦିଲ୍ଲୀ : ବୁଧବାର ରାଜ୍ୟସଭାରେ ପାରିତ ହୋଇଛି ଇନ୍‌ସୁରାନ୍ସ ଡିପୋଜିଟ୍‌ ଆଣ୍ଡ୍‌ କ୍ରେଡିଟ୍‌ ଗ୍ୟାରେଣ୍ଟି କର୍ପୋରେସନ୍‌ (ସଂଶୋଧିତ) ବିଲ, ୨୦୨୧। ସରକାରଙ୍କ ଦ୍ବାରା ଅଣାଯାଇଥିବା ଏହି ବିଲ୍‌କୁ ବିଜେଡି ସମର୍ଥନ କରିଥିଲା। ବିଲ୍‌ ଆଲୋଚନାରେ ଭାଗ ନେଇଥିଲେ ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ। ଏହି ବିଲ୍‌ରେ ଥିବା ବ୍ୟବସ୍ଥାଗୁଡ଼ିକୁ ସେ ସ୍ବାଗତ କରିବା ସହିତ ବିଲ୍‌କୁ ପୂର୍ଣ୍ଣରୂପେ ସମର୍ଥନ କରୁଥିବା ଆଲୋଚନା ବେଳେ ଶ୍ରୀ ପଟ୍ଟନାୟକ କହିଥିଲେ।

ଲିମିଟେଡ୍‌ ଲାଇବିଲିଟି ପାର୍ଟନରସିପ୍‌ ସଂଶୋଧିତ ବିଲକୁ ବି ସମର୍ଥନ
ରାଜ୍ୟସଭାରେ ବୁଧବାର ପାରିତ ହୋଇଛି ଲିମିଟେଡ୍‌ ଲାଇବିଲିଟି ପାର୍ଟନରସିପ୍‌ (ସଂଶୋଧିତ) ବିଲ୍‌-୨୦୨୧। ଏହି ବିଲ୍‌କୁ ବିଜୁ ଜନତା ଦଳ (ବିଜେଡି) ସମର୍ଥନ କରିଛି। ବିଲ୍‌ର ବିତର୍କରେ ଭାଗ ନେଇ ବିଜେଡି ସାଂସଦ ସୁଜିତ କୁମାର କହିଲେ, ଲିମିଟେଡ୍‌ ଲାଇବିଲିଟି ପାର୍ଟନରସିପ୍‌ର ସଂଶୋଧନ ଏମ୍‌ଏସ୍‌ଏମ୍‌ଇ ସେକ୍ଟରକୁ ବିଶେଷ ଭାବେ ସାହାଯ୍ୟ କରିବ। ସଂଶୋଧନ ଦ୍ବାରା ‘ଇଜ୍‌ ଅଫ୍ ଡୁଇିଂ ବିଜନେସ୍‌’କୁ ବଳ ମିଳିବ ବୋଲି ଆଲୋଚନାରେ ଭାଗ ନେଇ ସେ କହିଥିଲେ। ଲିମିଟେଡ ଲାଇବିଲିଟି ପାର୍ଟନରସିପ୍‌କୁ କର୍ପୋରେଟ୍‌ ଭଳି ଟ୍ୟାକ୍ସ ରେଟ୍‌ରେ ଆଣିବା ପାଇଁ ସେ ସରକାରଙ୍କୁ ପରାମର୍ଶ ଦେଇଥିଲେ। ବିଲକୁ ସମର୍ଥନ ଜଣାଇଥିବାରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶ୍ରୀ କୁମାରଙ୍କୁ ଧନ୍ୟବାଦ ଜଣାଇଥିଲେ।

ରାଜ୍ୟସଭାରେ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ପ୍ରଦାନ ପ୍ରସଙ୍ଗ
ବୁଧବାର ରାଜ୍ୟସଭାରେ ବିଜେଡି ସାଂସଦ ସୁଜିତ କୁମାର ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କୁ ଭାରତ ସରକାର ‘ଭାରତ ରତ୍ନ’ ପ୍ରଦାନ କରିବା ପାଇଁ ବିଚାର କରିବେ କି ବୋଲି ଅଣତାରକା ପ୍ରଶ୍ନ କରିଥିଲେ। ଏହାର ଲିଖିତ ଉତ୍ତର ଦେଇ କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଥିଲେ, ଭାରତ ରତ୍ନ ପ୍ରଦାନ କରାଯିବା ସମ୍ବନ୍ଧରେ ସମୟ ସମୟରେ ନିର୍ଣ୍ଣୟ ନିଆଯାଇଥାଏ। ଏଥିପାଇଁ ଔପଚାରିକ ସୁପାରିସର ଆବଶ୍ୟକତା ହୋଇନଥାଏ।

ଅମୃତ ଯୋଜନା: ଶେଷ ହୋଇଛି ୧୬୬ଟି ପ୍ରକଳ୍ପ କାର୍ଯ୍ୟ
ଓଡିଶାରେ ଅମୃତ ଯୋଜନାରେ ୧୭୦୭.୮୪ କୋଟି ଟଙ୍କାରେ କାର୍ଯ୍ୟକାରୀ ୧୯୯ଟି ପ୍ରକଳ୍ପ ମଧ୍ୟରୁ ୧୬୬ଟି ପ୍ରକଳ୍ପର କାର୍ଯ୍ୟ ଶେଷ ହୋଇଛି। ୨୫ଟି ପ୍ରକଳ୍ପ ନିର୍ମାଣର ବିଭିନ୍ନ ପର୍ଯ୍ୟାୟରେ ରହିଛି।

ଅମୃତ ଯୋଜନା ରାଜ୍ୟର ନଅଟି ସହର ଭଦ୍ରକ, କଟକ, ବ‌ାଲେଶ୍ବର, ପୁରୀ, ବାରିପଦା, ରାଉରକେଲା, ଭୁବନେଶ୍ବର, ସମ୍ବଲପୁର ଏବଂ ବ୍ରହ୍ମପୁରରେ ତ୍ବରାନ୍ବିତ କରାଯାଉଛି। ଯୋଜନାରେ ଗତ ତିନି ବର୍ଷରେ ରାଜ୍ୟକୁ ୪୫୫.୭୯ କୋଟି ଟଙ୍କା ପ୍ରଦାନ କରାଯାଇଥିବାବେଳେ ଖର୍ଚ୍ଚ ‌ହୋଇଛି ୪୦୩. ୩୧ କୋଟି ଟଙ୍କା। ଓଡ଼ିଶାକୁ ୨୦୧୮-୧୯ ରେ ପ୍ରଦତ୍ତ ୯୯.୮୮ କୋଟି ଟଙ୍କା ମଧ୍ୟରୁ ୮୮.୮୫ କୋଟି, ୨୦୧୯-୨୦ରେ ପ୍ରଦତ୍ତ ୩୪୨.୮୨ କୋଟି ଟଙ୍କାରୁ ୩୦୭.୯୨ କୋଟି ଟଙ୍କା ଓ ୨୦୨୦-୨୧ରେ ପ୍ରଦତ୍ତ ୧୩.୦୯ କୋଟି ଟଙ୍କାରୁ ଖର୍ଚ୍ଚ ହୋଇଛି ୬.୫୪ କୋଟି ଟଙ୍କା। ଆଜି ରାଜ୍ୟସଭାରେ ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଥିଲେ କେନ୍ଦ୍ର ଆବାସ ଓ ସହରାଂଚଳ ବିକାଶ ରାଷ୍ଟ୍ରମନ୍ତ୍ରୀ କୌଶଳ କିଶୋର।

କୋଇଲା ଖଣି ପାଇଁ ବିସ୍ଥାପିତ ହେବେ ୧୬,୭୬୦ ପରିବାର
ମହାନଦୀ କୋଲ ଫିଲ୍ଡସ୍ ଲିମିଟେଡ (ଏମ୍‌ସିଏଲ୍‌) ଅନ୍ତର୍ଗତ ବିଭିନ୍ନ ଖଣି ପାଇଁ ୧୬ ହଜାର ୭୬୦ ପରିବାର ବିସ୍ଥାପିତ ହେବେ। ବୁଧବାର ଲୋକସଭାରେ ବିଜେପି ସାଂସଦ ଜୁଏଲ ଓରାମଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଖଣି ଓ କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ। ଏଥିସହିତ ଓଡ଼ିଶାର ବିଭିନ୍ କୋଇଲା ଖନନ କାର୍ଯ୍ୟକଳାପ ପାଇଁ ଏମସିଏଲ ଦ୍ବାରା ୮୫ ହଜାର ୬୧୭ ଏକର ଜମି ଅଧିଗ୍ରହଣ କରାଯାଇଥିବା କେନ୍ଦ୍ରମନ୍ତ୍ରୀ ଅବଗତ କରାଇଛନ୍ତି। କେନ୍ଦ୍ରମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରି କହିଛନ୍ତି, ଜୁନ ୩୦, ୨୦୨୧ ପର୍ଯ୍ୟନ୍ତ ବିସ୍ଥାପିତ ହେବାକୁ ଥିବା ୧୬ ହଜାର ୭୬୦ ପରିବାରକୁ ସେମାନଙ୍କ ଜମି, ନିର୍ମାଣ ଓ ଅନ୍ୟାନ୍ୟ ସଂପତ୍ତି ପାଇଁ କ୍ଷତିପୂରଣ ପ୍ରଦାନ କରାଯାଇଛି। ୧୦ ହଜାର ୮୦୯ ପରିବାରଙ୍କ ପୁନର୍ବାସ କରାଯାଇଛି। ସେଥି ମଧ୍ୟରୁ ୩ ହଜାର ୧୦୫ ପରିବାରଙ୍କୁ ପୁନର୍ବାସ ପାଇଁ ଜମି ଉପଲବ୍ଧ କରାଯାଇଥିବା ମନ୍ତ୍ରୀ ଉତ୍ତରରେ କହିଛନ୍ତି। ୭ ହଜାର ୭୦୪ ପରିବାରକୁ ପୁନର୍ବାସ ଜମି ବଦଳରେ ଏକକାଳୀନ କ୍ଷତିପୂରଣ ଅର୍ଥରାଶି ପ୍ରଦାନ ପାଇଁ ସୁପାରିଶ କରାଯାଇଥିବା ଉତ୍ତରରେ କୁହାଯାଇଛି।

ସମ୍ବନ୍ଧିତ ଖବର