ରାଫେଲ ବିମାନ କିଣା ନେଇ ସରକାରୀ ନିଷ୍ପତ୍ତି ସଂପର୍କୀତ ସବିଶେଷ ବିବରଣୀ ଦାଖଲ କରିବାକୁ କହିଲା ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବୁଧବାର ସୁପ୍ରିମକୋର୍ଟ ରାଫେଲ୍‌ ଯୁଦ୍ଧ ବିମାନ କିଣା ନେଇ ହୋଇଥିବା ନିଷ୍ପତ୍ତି କେଉଁ ପ୍ରଣାଳୀରେ ହୋଇଛି ଓ ଏହି ନିଷ୍ପତ୍ତି କେଉଁମାନେ ନେଇଛନ୍ତି ସେ ସଂପର୍କରେ ସବିଶେଷ ଜଣାଇବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି ସୁପ୍ରିମକୋର୍ଟ। ଏହି ସମସ୍ତ ତଥ୍ୟ ମୁଦା ଲଫାପାରେ ଦାଖଲ କରିବାକୁ କହିଛନ୍ତି ସର୍ବୋଚ୍ଚ ଅଦାଲତ।

ରାଫେଲ ଚୁକ୍ତିର ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ସୁପ୍ରିମକୋର୍ଟ ରାଫେଲ ଯୁଦ୍ଧ ବିମାନ କ୍ରୟ ନେଇ ସରକାରୀ ସ୍ତରରେ ହୋଇଥିବା ନିଷ୍ପତ୍ତି ପ୍ରକ୍ରିୟାର ସଂପୂର୍ଣ୍ଣ ବିବରଣୀ ଦାଖଲ କରିବାକୁ କେନ୍ଦ୍ର ସରକାରଙ୍କୁ କହିବା ସହ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଆମେ ରାଫେଲ ବିମାନର ଦର କିମ୍ବା ଏହାର ବୈଷୟିକ ବିବରଣୀ ସଂପର୍କରେ ତଥ୍ୟ ଚାହୁଁନାହୁଁ।

ସୁପ୍ରିମ୍‌କୋର୍ଟ ମୁଖ୍ୟ ବିଚାରପତିଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ରାଫେଲ ବିମାନ କ୍ରୟ ବିରୋଧରେ ହୋଇଥିବା ମାମଲାରେ ଆବେଦନକାରୀ ଆବଶ୍ୟକୀୟ ତଥ୍ୟ ଦେଇପାରିନାହାନ୍ତି। ତାଙ୍କ ଅଭିଯୋଗ ଆମେ ବିଚାରକୁ ନେଇନାହୁଁ। ତେବେ ଆମେ ନିଜକୁ ସନ୍ତୁଷ୍ଟ କରିବା ସରକାରଙ୍କୁ ରାଫେଲ୍‌ ଚୁକ୍ତିର ସଂପର୍କୀତ ନିଷ୍ପତ୍ତି ପ୍ରକ୍ରିୟାର ସବିଶେଷ ବିବରଣୀ ମାଗୁଛୁ।

ଆଟର୍ଣ୍ଣି ଜେନେରାଲ କେନ୍ଦ୍ର ସରକାରଙ୍କ ପକ୍ଷ ରଖି ଏହି ମାମଲା ରାଜନୈତିକ ଉଦ୍ଦେଶ୍ୟ ପ୍ରଯୋଜିତ ବୋଲି ଯୁକ୍ତି ବାଢ଼ିଥିଲେ। ଏଥିସହ ଏହି ମାମଲା ଦେଶର ପ୍ରତିରକ୍ଷା ସହ ଜଡ଼ିତ ହୋଇଥିବାରୁ ଏ ସଂପର୍କୀତ ତଥ୍ୟ ସର୍ବସାଧାରଣ କରାଯିବା ଉଚିତ ନୁହେଁ ବୋଲି ମତ ରଖିଥିଲେ।

ସମ୍ବନ୍ଧିତ ଖବର