ରାଫେଲ ବିମାନ କିଣା ବାବଦରେ ଅଗ୍ରୀମ ୨୫% ଅର୍ଥ ପ୍ରଦାନ କଲେ ଭାରତ ସରକାର, ସେପ୍ଟେମ୍ବରରେ ପହଞ୍ଚିବ ପ୍ରଥମ ବିମାନ

ନୂଆଦିଲ୍ଲୀ : ଫ୍ରାନ୍ସର ଅତ୍ୟାଧୁନିକ ଲଢୁଆ ବିମାନ ଖରିଦକୁ ନେଇ କଂଗ୍ରେସ ବାରମ୍ବାର ଦୁର୍ନୀତି ଅଭିଯୋଗ ଆଣିବା ସତ୍ତ୍ୱେ ସରକାର ନିଜ ନିଷ୍ପତ୍ତିରେ ଅଟଳ ଅଛନ୍ତି । ନିକଟରେ ସରକାର ମୋଟ ରାଶିର ୨୫ ପ୍ରତିଶତ ପେମେଣ୍ଟ ଫ୍ରାନ୍ସ ସରକାରଙ୍କୁ କରିଛନ୍ତି । ଏହି ଚୁକ୍ତି ଭାରତ ଓ ଫ୍ରାନ୍ସ ସରକାରଙ୍କ ମଧ୍ୟରେ ହୋଇଥିବାରୁ ଭାରତ ସରକାର ଫ୍ରାନ୍ସ ସରକାରଙ୍କୁ ଅର୍ଥ ପ୍ରଦାନ କରିଛନ୍ତି । ଫ୍ରାନ୍ସ ସରକାର ଏହି ଅର୍ଥ ଡାସାଁ ଆଭିଏସନକୁ ପ୍ରଦାନ କରିବେ । ଏ ସଂପର୍କରେ ନ୍ୟୁଜ ଏଜେନ୍ସି ଏଏନଆଇ ଏକ ରିପୋର୍ଟ ପ୍ରକାଶ କରିଛି । ସେହିପରି ବାୟୁସେନା ସୁତ୍ରରୁ ଜଣାପଡିଛି ଯେ ଆସନ୍ତା ବର୍ଷ ସେପ୍ଟେମ୍ବର ମାସରେ ପ୍ରଥମ ରାଫେଲ ବିମାନ ଭାରତରେ ପହଞ୍ଚିବ ।

କିଛିଦିନ ତଳେ ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ସାଲ ଡିଏସ ଧନୋଆ କହିଥିଲେ ଯେ ରାଫେଲ ଭାରତୀୟ ବାୟୁସେନା ପାଇଁ ବେଶ ଜରୁରୀ । ପ୍ରତିରକ୍ଷା କିଣାବିକାରେ ରାଜନୀତି ପୁରାଇବା ଉଚିତ ନୁହେଁ ବୋଲି ସେ କହିଥିଲେ । ମୋଦି ସରକାର ୨୦୧୬ରେ ୩୬ଟି ରାଫେଲ ବିମାନ ଯୋଗାଇବା ପାଇଁ ୫୯ ହଜାର କୋଟି ଟଙ୍କାର ଏକ ଚୁକ୍ତି କରିଥିଲେ । ଏହି ଚୁକ୍ତି ଫ୍ରାନ୍ସ ସରକାରଙ୍କ ସହ ହୋଇଥିଲା ।

ସମ୍ବନ୍ଧିତ ଖବର