ରାଷ୍ଟ୍ରପତିଙ୍କ ଉଦ୍‌ବୋଧନ: ଆନ୍ଦୋଳନକାରୀ ଅହିଂସା ମନ୍ତ୍ର ଭୁଲନ୍ତୁ ନାହିଁ

ନୂଆଦିଲ୍ଲୀ: ୭୧ତମ ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ରାଷ୍ଟ୍ରପତି କହିଛନ୍ତି ଯେ ଦେଶର ଗଣତନ୍ତ୍ର ଏବଂ ଭାରତର ଶକ୍ତି ନାଗରିକଙ୍କ ମଧ୍ୟରେ ହିଁ ନିହିତ ଅଛନ୍ତି। ଆମେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶକୁ ଗ୍ରହଣ କରି ଗଣତାନ୍ତ୍ରିକ ଆଦର୍ଶ ପାଇଁ ପ୍ରତିବଦ୍ଧ ରହିବାକୁ ହେବ। ଏହା ହିଁ ବିକାଶ ନିମନ୍ତେ ଶ୍ରେଷ୍ଠ ପନ୍ଥା ବୋଲି ରାଷ୍ଟ୍ରପତି କହିଛନ୍ତି। କୌଣସି ବି ଉଦ୍ଦେଶ୍ୟ ହାସଲ ପାଇଁ ସଂଘର୍ଷ କରୁଥିବା ଲେକେ ଗାନ୍ଧୀଜୀଙ୍କ ଅହିଂସା ମନ୍ତ୍ରକୁ ସର୍ବଦା ସ୍ମରଣ ରଖିବାକୁ ହେବ। ଯୁବ ଗୋଷ୍ଠୀଙ୍କୁ ଏଥିପ୍ରତି ବିଶେଷ ଧ୍ୟାନ ଦେବାକୁ ହେବ। ଅହିଂସା ମନ୍ତ୍ର ହିଁ ମାନବତା ପାଇଁ ଗାନ୍ଧିଜୀଙ୍କ ଅମୂଲ୍ୟ ଉପହାର ବୋଲି ରାଷ୍ଟ୍ରପତି କହିଛନ୍ତି।

ଦେଶର ବିକାଶରେ ଜନସାଧାରଣଙ୍କ ଯୋଗଦାନକୁ ଗୁରୁତ୍ବ ଦେଇ ରାଷ୍ଟ୍ରପତି କହିଛନ୍ତି- ଆମେ ୨୬ ଜାନୁଆରି, ୧୯୫୦ରେ ସମ୍ବିଧାନକୁ କାର୍ଯ୍ୟକାରୀ କରିଥିଲେ। ଦେଶର ବ୍ୟବସ୍ଥାର ତିନି ଅଙ୍ଗ କାର୍ଯ୍ୟପାଳିକା, ନ୍ୟାୟପାଳିକ ଏବଂ ବ୍ୟବସ୍ଥାପିକା ପରସ୍ପର ସହିତ ସଂପୃକ୍ତ। ଦେଶର ପ୍ରତ୍ୟେକ ଅଂଚଳର ସଂପୂର୍ଣ୍ଣ ବିକାଶ ପାଇଁ ଆମେ ପ୍ରତିବଦ୍ଧ। ଜମ୍ମୁ କାଶ୍ମୀରରୁ ଭାରତ ମହାସାଗରର ଦ୍ବୀପ ପର୍ଯ୍ୟନ୍ତ ସବୁଠି ବିକାଶର ଯୋଜନା କରାଯାଇଛି। ଦେଶ ପାଇଁ ଆଭ୍ୟନ୍ତରୀଣ ସୁରକ୍ଷା ମଧ୍ୟ ଅତି ଗୁରୁତ୍ବପୂର୍ଣ୍ଣ ଏବଂ ଏଥିପାଇଁ ଅନେକ ନୀତି ନିର୍ଦ୍ଧାରଣ କରାଯାଇଛି । ପ୍ରବାସୀ ଭାରତୀୟମାନେ ବିଦେଶରେ ରହି ମଧ୍ୟ ଭାରତର ବିକାଶରେ ସହାୟକ ହେଉଛନ୍ତି ଏବଂ ଭାରତୀୟ ସଂସ୍କୃତିର ପ୍ରଚାର ପ୍ରସାର କରୁଛନ୍ତି। ରାଷ୍ଟ୍ରପତି ଅଧିକାର ସହିତ କର୍ତ୍ତବ୍ୟକୁ ମଧ୍ୟ ସ୍ମରଣ କରାଇ କହିଛନ୍ତି, ଆମର ସମ୍ବିଧାନ ଆମକୁ ଏକ ସ୍ବାଧୀନ ଗଣତନ୍ତ୍ରର ନାଗରିକ ଭାବେ ଅନେକ ଅଧିକାର ପ୍ରଦାନ କରିଛି। କିନ୍ତୁ ସମ୍ବିଧାନ ଆମ ସମସ୍ତଙ୍କ ପାଇଁ ଅନେକ ଦାୟିତ୍ବ ଓ କର୍ତ୍ତବ୍ୟ ମଧ୍ୟ ଦେଇଛି। ଆମେ ନ୍ୟାୟ, ସ୍ବାଧୀନତା, ସମାନତା ଏବଂ ଭାଇଚାରାକୁ ନେଇ ଗଣତାନ୍ତ୍ରିକ ଆଦର୍ଶ ପ୍ରତି ଅଙ୍ଗୀକାରବଦ୍ଧ ରହିବାକୁ ହେବ।

ରାଷ୍ଟ୍ରପତି ତାଙ୍କ ଉଦ୍‌ବୋଧନରେ ଆୟୁଷ୍ମାନ ଭାରତ ଯୋଜନା, ଜଳ ଜୀବନ ମିସନ, ସ୍ବଚ୍ଛ ଭାରତ ଅଭିଯାନକୁ ପ୍ରଶଂସା କରିଛନ୍ତି। ଏସବୁ ଏକ ଜନ ଆନ୍ଦୋଳନର ରୂପ ନେଇଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଦେଶରେ ଜିଏସ୍‌ଟି ଲାଗୁ ହେବାଦ୍ବାରା ଗୋଟିଏ ଦେଶ, ଗୋଟିଏ ଟିକସ, ଗୋଟି ବଜାରର ଅବଧାରଣା ସାକାର ରୂପ ନେଇଛି। ଶିକ୍ଷା କ୍ଷେତ୍ରରେ ଭାରତର ଉପଲବ୍ଧି ଉଲ୍ଲେଖନୀୟ ବୋଲି ରାଷ୍ଟ୍ରପତି କହିଛନ୍ତି। ଭାରତର ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋର ସଫଳତା ପାଇଁ ଦେଶବାସୀ ଗର୍ବିତ ବୋଲି ରାଷ୍ଟ୍ରପତି ତାଙ୍କ ଉଦ୍‌ବୋଧନରେ କହିଛନ୍ତି। ଦେଶର ବିକାଶ ରାସ୍ତାରେ ଆଗକୁ ବଢ଼ିବା ବେଳେ ଆମେ ସମସ୍ତ ଦେଶବାସୀ ବିଶ୍ବ ସମୁଦାୟ ସହିତ ସହଯୋଗ କରିବା ପାଇଁ ମଧ୍ୟ ପ୍ରତିବଦ୍ଧ ବୋଲି ରାଷ୍ଟ୍ରପତି କହିଛନ୍ତି।

ସମ୍ବନ୍ଧିତ ଖବର