ରୁଶଦିଙ୍କ ଉପରେ ଆକ୍ରମଣକୁ ନେଇ ଦୁଃଖିତ : ଇମ୍ରାନ ଖାଁ

ଇସ୍ଲାମାବାଦ : ଭାରତ ଜନ୍ମିତ ବିଶିଷ୍ଟ ବ୍ରିଟିଶ ଲେଖକ ସଲମାନ ରୁଶଦିଙ୍କ ଉପରେ ଆକ୍ରମଣକୁ ନିନ୍ଦା କରିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଏ-ଇନସାଫ(ପିଟିଆଇ)ର ମୁଖ୍ୟ ଇମ୍ରାନ ଖାଁ ।

ବ୍ରିଟିଶ ଖବରକାଗଜ ‘ଦି ଗାର୍ଡିଆନ’କୁ ଏକ ସାକ୍ଷାତକାର ଦେଇ ଇମ୍ରାନ କହିଛନ୍ତି ଯେ ରୁଶଦିଙ୍କ ଉପରେ ଆକ୍ରମଣ ଏକ ଭୟାନକ ଓ ଦୁଃଖଦ ଘଟଣା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ରୁଶଦିଙ୍କ ବହି ସାଟାନିକ ଭର୍ସେସ ବିରୋଧରେ ଅସନ୍ତୋଷ ସ୍ବାଭାବିକ ହୋଇଥିଲେ ବି ତାହାପାଇଁ ହିଂସା କରିବା ଠିକ ବୋଲି କୁହାଯାଇପାରିବ ନାହିଁ ।

ସୂଚନାଯୋଗ୍ୟ ଯେ, ଅଗଷ୍ଟ ୧୨ ତାରିଖରେ ସକାଳେ ବୁକର ପୁରସ୍କାର ଜିତିଥିବା ରୁଶଦି ନ୍ୟୁୟର୍କ ଉପକଣ୍ଠ ଚୌତୌକ୍ବା ପ୍ରତିଷ୍ଠାନରେ ଭାଷଣ ଦେଉଥିବାବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ହାଦି ମାତାର ନାମକ ନ୍ୟୁଜର୍ସିର ଏକ ବ୍ୟକ୍ତି ମଞ୍ଚରେ ଚଢି ତାଙ୍କୁ ଛୁରୀ ଭୁସିଥିଲା । ସେ ଇରାନର ସମର୍ଥକ ବୋଲି ଜଣାପଡ଼ିଥିଲା । ତେବେ ଏହି ଆକ୍ରମଣ ଯୋଗୁଁ ଆହତ ହୋଇଥିବା ରୁଶଦିଙ୍କ ସ୍ବାସ୍ଥ୍ୟାବସ୍ଥା ଧୀରେ ଧୀରେ ସ୍ବାଭାବିକ ହେଉଛି । ସେ ଏବେ କଥାବାର୍ତ୍ତା କରୁଛନ୍ତି ।

ଇଂରାଜୀ ପୁସ୍ତକ ସାଟାନିକ ଭର୍ସେସ ଲେଖିବା ପରେ ତାହାକୁ ଇସଲାମିକ ଜଗତରେ ତୀବ୍ର ବିରୋଧ କରାଯାଇଥିଲା । ଏହି ବହି ୧୯୮୮ରୁ ଇରାନ, ଭାରତ ସମେତ କେତେକ ଦେଶରେ ନିଷିଦ୍ଧ ରହିଛି । ୧୯୮୯ରେ ଆୟାତୋଲ୍ଲା ଖୋମିନି ତାଙ୍କ ହତ୍ୟା ପାଇଁ ଫତଓ୍ବା ଜାରି କରିଥିଲେ ।

ସମ୍ବନ୍ଧିତ ଖବର