ରୋହିଙ୍ଗ୍ୟା ଶରଣାର୍ଥୀମାନଙ୍କୁ ଦିଲ୍ଲୀରେ ଫ୍ଲାଟ୍ ଯୋଗାଇବେ କି ମୋଦୀ ସରକାର ?

ନୂଆଦିଲ୍ଲୀ : ରୋହିଙ୍ଗ୍ୟା ଶରଣାର୍ଥୀମାନଙ୍କୁ ଦିଲ୍ଲୀରେ ବାସଗୃହ ଯୋଗାଇବା ପ୍ରସଙ୍ଗରେ ଦୋଛକିରେ ପଡ଼ିଯାଇଛନ୍ତି କେନ୍ଦ୍ର ସରକାର । ଗୋଟିଏ ପଟେ କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରାଳୟ ପକ୍ଷରୁ ଏହା ଏକ ଭଲ ପଦକ୍ଷେପ ବୋଲି କୁହାଯାଉଥିବାବେଳେ ଅନ୍ୟପଟେ ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ସ୍ପଷ୍ଟୀକରଣ ଦେଇ କୁହାଯାଇଛି ଯେ ଦିଲ୍ଲୀର ବକରଓ୍ବାଲାଠାରେ ରୋହିଙ୍ଗ୍ୟାମାନଙ୍କୁ ଫ୍ଲାଟ ଦେବାକୁ କୌଣସି ନିର୍ଦ୍ଦେଶ ଦିଆଯାଇନାହିଁ । ଏପରିକି ସେମାନଙ୍କ ପ୍ରତ୍ୟାର୍ପଣ ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସହ ଆଲୋଚନା କରାଯାଉଛି ।

ଗୃହ ମନ୍ତ୍ରାଳୟ ପକ୍ଷରୁ ଆହୁରିମଧ୍ୟ କୁହାଯାଇଛି ଯେ, ରୋହିଙ୍ଗ୍ୟା ଶରଣାର୍ଥୀମାନଙ୍କୁ ଏକ ଦିଲ୍ଲୀର ନୂଆ ସ୍ଥାନକୁ ନେବାକୁ  ଦିଲ୍ଲୀ ସରକାର ପ୍ରସ୍ତାବ ଦେଇଥିଲେ । କିନ୍ତୁ ରୋହିଙ୍ଗ୍ୟାମାନଙ୍କ ପ୍ରତ୍ୟାର୍ପଣ ପାଇଁ ଉଦ୍ୟମ ଚାଲିଥିବାରୁ ସେମାନେ ଯେଉଁଠାରେ ଅଛନ୍ତି ସେଠାରେ ଥାନ୍ତୁ ବୋଲି ଦିଲ୍ଲୀ ପ୍ରଶାସନକୁ କୁହାଯାଇଥିଲା ।

ଏହା ପୂର୍ବରୁ ଗୃହନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂ ପୁରୀ କହିଥିଲେ ଯେ ଭାରତ ସବୁବେଳେ ଶରଣାର୍ଥୀମାନଙ୍କୁ ଆଶ୍ରୟ ଦେଇଆସିଛି । ରୋହିଙ୍ଗ୍ୟା ଶରଣାର୍ଥୀମାନଙ୍କୁ ଦିଲ୍ଲୀର ବକରଓ୍ବାଲାଠାରେ ଫ୍ଲାଟ୍ ପ୍ରଦାନ ପାଇଁ ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଛି । ସେମାନଙ୍କୁ ମୌଳିକ ସୁବିଧାସୁଯୋଗ ଓ ସୁରକ୍ଷା ପ୍ରଦାନ କରାଯିବ ।

କିନ୍ତୁ ଏହାକୁ ବିଶ୍ବ ହିନ୍ଦୁ ପରିଷଦ ଓ ଅନ୍ୟ ହିନ୍ଦୁବାଦୀ ଦଳମାନେ ବିରୋଧ କରିବା ପରେ ସରକାର ସମସ୍ୟାରେ ପଡ଼ିଯାଇଛନ୍ତି । ଦେଶରେ ଅନେକ ଗରିବ ହିନ୍ଦୁ ସାମାନ୍ୟ ସୁବିଧା ସୁଯୋଗ ପାଉନଥିବାବେଳେ ରୋହିଙ୍ଗ୍ୟାମାନଙ୍କୁ ଫ୍ଲାଟ ଯୋଗାଣ କେତେ ଦୂର ଠିକ ବୋଲି ବିଶ୍ବ ହିନ୍ଦୁ ପରିଷଦ କହିଥିଲା ।

 

ସମ୍ବନ୍ଧିତ ଖବର