ଲୋକସଭାରେ ହଟ୍ଟଗୋଳ, ଯାଞ୍ଚ ପାଇଁ କମିଟି ଗଠନ

ନୂଆଦିଲ୍ଲୀ: ସଂସଦର ବଜେଟ୍‌ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟରେ ଲୋକସଭାରେ ଦିଲ୍ଲୀ ହିଂସା ଉପରେ ଆଲୋଚନା ଦାବି ନେଇ ବିରୋଧୀ ଦଳ ସାଂସଦମାନେ ପ୍ରବଳ ହଟ୍ଟଗୋଳ କରିଥିଲେ। ଏଥିରେ ଧସ୍ତାଧସ୍ତିଠାରୁ ଆରମ୍ଭ କରି ବାଚସ୍ପତିଙ୍କ ଉପରକୁ କାଗଜ ଫୋପାଡ଼ିବା ଭଳି ଘଟଣା ମଧ୍ୟ ଦେଖିବାକୁ ମିଳିଥିଲା। ଏହାର ତଦନ୍ତ ପାଇଁ ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହେବ ବୋଲି ଆଜି ଘୋଷଣା ହୋଇଛି। ଏହି କମିଟି ୨ ମାର୍ଚ୍ଚରୁ ୫ ମାର୍ଚ୍ଚ ପର୍ଯ୍ୟନ୍ତ ସମସ୍ତ ଘଟଣାର ଯାଞ୍ଚ କରି ରିପୋର୍ଟ ପ୍ରଦାନ କରିବ। ଏହି କମିଟିରେ ସମସ୍ତ ଦଳର ପ୍ରତିନିଧି ରହିବେ। ସଂସଦର ବଜେଟ୍‌ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟରେ ଲଗାତାର ୫ ଦିନ ଧରି ଗୃହ କାର୍ଯ୍ୟ ଠିକ୍‌ରେ ଚାଲି ପାରିନାହିଁ। ଗତକାଲି ମଧ୍ୟ ପ୍ରବଳ ହଟ୍ଟଗୋଳ ମଧ୍ୟରେ କେତେକ କଂଗ୍ରେସ ସାଂସଦ ବାଚସ୍ପତିଙ୍କ ଉପରକୁ କାଗଜ ଫୋପାଡ଼ିଥିଲେ। ଏହି ଘଟଣାରେ ୭ ଜଣ କଂଗ୍ରେସ ସାଂସଦ ମଧ୍ୟ ନିଲମ୍ବନ ହୋଇଛନ୍ତି।

ଅନ୍ୟପକ୍ଷରେ ଦିଲ୍ଲୀ ହିଂସା ମାମଲାରେ ରାଜ୍ୟସଭାରେ ମଧ୍ୟ ଲଗାତାର ୫ମ ଦିନ ଧରି ଅଚଳାବସ୍ଥା ଦେଖିବାକୁ ମିଳିଥିଲା। କଂଗ୍ରେସ ସମେତ ବିଭିନ୍ନ ବିରୋଧୀ ଦଳ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟକୁ ୧୧ ମାର୍ଚ୍ଚ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଆଜ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ କଂଗ୍ରେସ, ଡିଏମ୍‌କେ, ତୃଣମୂଳ, ଆପ୍‌, ଏସ୍‌ପି ଏବଂ ବାମଦଳ ସାଂସଦମାନେ ଦିଲ୍ଲୀ ହିଂସାକୁ ନେଇ ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ। କେତେକ ସଦସ୍ୟ ଅଧ୍ୟକ୍ଷଙ୍କ ଆସନ ପର୍ଯ୍ୟନ୍ତ ମାଡ଼ି ଯାଇଥିଲେ। ହଟ୍ଟଗୋଳ ଥମିବାର ନାମ ନେଉନଥିବାରୁ ଗୃହକୁ ବୁଧବାର ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ମୁଲତବୀ ରଖିବାକୁ ଘୋଷଣା କରାଯାଇଛି। ସୋମବାର ଏବଂ ମଂଗଳବାର ହୋଲି ପାଇଁ ସଂସଦ ଅଧିବେଶନ ବନ୍ଦ ରହିବ। ଲୋକସଭାରେ କଂଗ୍ରେସର ୭ ଜଣ ସାଂସଦଙ୍କୁ ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବନ କରାଯାଇ ଥିବାରୁ ଏହା ବିରୋଧରେ ଆଜି କଂଗ୍ରେସ ଦଳ ରାହୁଲ ଗାନ୍ଧିଙ୍କ ନେୃତ୍ବରେ ସଂସଦ ପରିସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ବିରୋଧ ପ୍ରଦର୍ଶନ କରିଥିଲା। ଅନେକ ସାଂସଦ କଳା ପଟି ବାନ୍ଧି ସଂସଦକୁ ଯାଇଥିଲେ। ବିରୋଧୀ ଦଳମାନଙ୍କୁ ଡରାଇବା ପାଇଁ ସାଂସଦମାନଙ୍କୁ ନିଲମ୍ବନ କରାଯାଇଛି ବୋଲି କଂଗ୍ରେସ କହିଛି।

ସମ୍ବନ୍ଧିତ ଖବର