ଶତାୟୁ କ୍ରିକେଟର୍‌ଙ୍କ ପରଲୋକ

ମୁମ୍ବାଇ: ଭାରତର ବୟୋଜ୍ୟେଷ୍ଠ ପ୍ରଥମ ଶ୍ରେଣୀ କ୍ରିକେଟର୍‌ ବସନ୍ତ ରାଇଜୀ ଶନିବାର ପରଲୋକ ଗମନ କରିଛନ୍ତି। ତାଙ୍କୁ ୧୦୦ ବର୍ଷ ବୟସ ହୋଇଥିଲା। ଏହି ଶତାୟୁ କ୍ରିକେଟର୍‌ ଦକ୍ଷିଣ ମୁମ୍ବାଇସ୍ଥିତ ନିଜ ବାସଭବନରେ ଶୋଇଥିଲା ବେଳେ ଶୁକ୍ରବାର ରାତି ୨.୨୦ ମିନିଟ୍‌ ସମୟରେ ମୃତ୍ୟୁବରଣ କରିଥିବା ତାଙ୍କ ଜ୍ବାଇଁ ସ୍ପଷ୍ଟ କରିଛନ୍ତି। ରାଇଜୀଙ୍କର ପତ୍ନୀ ଓ ଦୁଇ ଝିଅ ଅଛନ୍ତି। ତାଙ୍କ ମୃତ୍ୟୁ ବାର୍ଦ୍ଧକ୍ୟଜନିତ ବୋଲି ଜ୍ବାଇଁ ସୁଦର୍ଶନ ନାନାବତୀ କହିଛନ୍ତି। ଶନିବାର ଅପରାହ୍ନରେ ଚନ୍ଦନବାଡ଼ି ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି।

ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ ଭାବେ କର୍ମମୟ ଜୀବନ ଆରମ୍ଭ କରିଥିବା ରାଇଜୀ ନିଜର କ୍ରିକେଟ୍‌ପ୍ରୀତିକୁ ଉପେକ୍ଷା କରିନଥିଲେ। ସେ ଜଣେ ଡାହାଣହାତୀ ବ୍ୟାଟ୍‌ସମ୍ୟାନ୍‌ ଭାବେ ଉଭା ହୋଇଥିଲେ। ୧୯୪୦ ଦଶକରେ ସେ ମୁମ୍ବାଇ ଓ ବରୋଦା ପାଇଁ ୯ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଥିଲେ। ମୋଟ ୨୭୭ ରନ୍‌ ସଂଗ୍ରହ କରିଥିଲା ବେଳେ ୬୮ ଥିଲା ତାଙ୍କର ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍‌। ଅବଶ୍ୟ ମଜାଦାର କଥା ହେଲା ରାଇଜୀ ମୁମ୍ବାଇ କିମ୍ବା ବରୋଦା ପକ୍ଷରୁ ପଦାର୍ପଣ କରିନଥିଲେ। ସେ ତାଙ୍କର ପ୍ରଥମ ମ୍ୟାଚ୍‌ ୧୯୩୯ ମସିହାରେ ନାଗପୁରଠାରେ ସେଣ୍ଟ୍ରାଲ ପ୍ରୋଭିନ୍ସ ଓ ବେରାର ବିପକ୍ଷରେ କ୍ରିକେଟ୍‌ କ୍ଲବ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ଖେଳିଥି‌ଲେ। ହେଲେ ପଦାର୍ପଣକୁ ସେ ସ୍ମରଣୀୟ କରିପାରିନଥିଲେ। ନିଜର ପ୍ରଥମ ମ୍ୟାଚ୍‌ର ପ୍ରଥମ ପାଳିରେ ଶୂନରେ ଆଉଟ୍‌ ହୋଇଥିଲା ବେଳେ ଦ୍ବିତୀୟ ପାଳିରେ ମାତ୍ର ୧ ରନ୍‌ କରିପାରିଥିଲେ। କିନ୍ତୁ ୧୯୪୧ରେ ମୁମ୍ବାଇ ଦଳ ପକ୍ଷରୁ ପଦାର୍ପଣ କରିଥିଲେ। ବିଜୟ ମର୍ଚ୍ଚାଣ୍ଟ୍‌ଙ୍କ ନେତୃତ୍ବରେ ୱେଷ୍ଟର୍ନ ଇଣ୍ଡିଆ ଦଳରୁ ଖେଳିଥିଲେ ଏହି ମ୍ୟାଚ୍‌। ତାଙ୍କୁ ଯେତେବେଳେ ୧୩ ବର୍ଷ ସେତେବେଳେ ଭାରତ ଦକ୍ଷିଣ ମୁମ୍ବାଇର ବମ୍ବେ ଜିମ୍‌ଖାନାରେ ପ୍ରଥମ ଟେଷ୍ଟ୍‌ ଖେଳିଥିଲା। କ୍ରିକେଟ୍‌ କିଂବଦନ୍ତି ସୁନିଲ ଗାଭାସ୍କର, ସଚିନ୍‌ ତେନ୍ଦୁଲକର ଏବଂ ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ ଷ୍ଟିଭ୍‌ ୱ’ ଜାନୁଆରି ମାସରେ ରାଇଜୀଙ୍କୁ ତାଙ୍କ ବାସଭବନରେ ଭେଟି ୧୦୦ତମ ଜନ୍ମବାର୍ଷିକୀ ଅବସରରେ ଶୁଭେଚ୍ଛା ଜଣାଇଥିଲେ। ସଚିନ୍‌ ମଧ୍ୟ ଟ୍ବିଟରରେ ରାଇଜୀଙ୍କ ଜନ୍ମବାର୍ଷିକୀ ପାଳନର ଭିଡିଓ ସେୟାର କରିଥିଲେ।

ସମ୍ବନ୍ଧିତ ଖବର