ଶାହିନ ବାଗ୍‌ ଶିଶୁମୃତ୍ୟୁ ଘଟଣାରେ ସୁପ୍ରିମ୍‌ କୋର୍ଟ କ୍ଷୁବ୍ଧ

ନୂଆଦିଲ୍ଲୀ: ଶାହିନ ବାଗ୍‌ ଶିଶୁ ମୃତ୍ୟୁ ଘଟଣାରେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମ‌କୋର୍ଟ। ୪ ମାସର ଶିଶୁ ଆନ୍ଦୋଳନରେ ଅଂଶଗ୍ରହଣ କରିପାରିବ କି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି ଏବଂ ଏନେଇ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ନୋଟିସ୍‌ କରି ଜବାବ ମାଗିଛନ୍ତି। ଶାହିନ ବାଗ୍‌ରେ ସିଏଏ ବିରୋଧୀ ଆନ୍ଦୋଳନରେ ସାମିଲ ଥିବା ଜଣେ ଆନ୍ଦୋଳନକାରୀ ମା’ ଗତ ଜାନୁଆରି ୩୦ରେ ତାଙ୍କ ୪ ମାସର ଶିଶୁକୁ ଧରି ଆନ୍ଦୋଳନ ସ୍ଥଳକୁ ଯାଇଥିଲେ। କିନ୍ତୁ ସେଦିନ ଆନ୍ଦୋଳନରୁ ଫେରିବାପରେ ଶିଶୁଟିର ରାତିରେ ମୃତ୍ୟୁ ହୋଇ ଯାଇଥିଲା। ପ୍ରବଳ ଥଣ୍ଡା ଯୋଗୁଁ ଶିଶୁଟିର ମୃତ୍ୟୁ ହୋଇଥିବା କୁହାଯାଇଥିଲା। ଉକ୍ତ ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ୨୦୧୯ ମସିହାର ଜାତୀୟ ସାହସିକତା ପୁରସ୍କାର ପାଇଥିବା ମୁମ୍ବାଇ ଝିଅ ଜେନ୍‌ ଗୁଣରତନ ସଦାବର୍ତେ। ସେ ସୁପ୍ରିମକୋର୍ଟଙ୍କୁ ଏକ ଚିଠି ଲେଖି କହିଥିଲେ ଶିଶୁଟିର ବାପା ମା’ ଏବଂ ସିଏଏ ବିରୋଧୀ ଆନ୍ଦୋଳନର ପରିଚାଳକମାନେ ଶିଶୁର ଅଧିକାରକୁ ସୁରକ୍ଷା ଦେବାରେ ବିଫଳ ହେଲେ। ଫଳରେ ଶିଶୁଟିର ମୃତ୍ୟୁ ହୋଇଗଲା। ଜେନ୍‌ ଉକ୍ତ ଘଟଣାରେ ତଦନ୍ତ ଦାବି କରିଥିଲେ। ତେବେ ସୁପ୍ରିମକୋର୍ଟ ଏହି ଚିଠି ଆଧାରରେ ଉକ୍ତ ମାମଲାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି ଏବଂ ନିଜ ଆଡ଼ୁ ମାମଲାର ଶୁଣାଣି ଆରମ୍ଭ କରିଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡେଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଉକ୍ତ ଘଟଣାରେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ମାମଲାରେ କୋର୍ଟରେ ହାଜର ହୋଇଥିବା ମହିଳା ଆଇନଜୀବୀମାନଙ୍କୁ ଖଣ୍ଡପୀଠ କହିଛନ୍ତି, ୪ ମାସର ଶିଶୁ କ’ଣ ଆନ୍ଦୋଳନରେ ଅଂଶଗ୍ରହଣ କରିପାରିବ କି? ସଲିସିଟର ଜେନେରାଲ ତୁଷାର ମେହଟା କହିଛନ୍ତି, ୪ ମାସର ଶିଶୁକୁ ଆନ୍ଦୋଳନ ସ୍ଥଳକୁ ନେବା ଆଦୌ ଠିକ୍ ନୁହେଁ। ଅନ୍ୟପକ୍ଷେ କୋର୍ଟ ମଧ୍ୟ ଆଜି ଏହି ମାମଲାରେ ହାଜର ହୋଇଥିବା ୨ ଜଣ ମହିଳା ଆଇନଜୀବୀଙ୍କ ବିରୋଧରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଶାହିନ ବାଗ୍‌ରେ ସିଏଏ ବିରୋଧୀ ଆନ୍ଦୋଳନରେ ବସିଥିବା ମା’ ଏବଂ ଶିଶୁମାନଙ୍କ ତରଫରୁ କୋର୍ଟରେ ହାଜର ହୋଇଥିବା ମହିଳା ଆଇନଜୀବୀ କହିଥିଲେ, ଗ୍ରେଟା ଥୁନ୍‌ବର୍ଗ ମଧ୍ୟ ଆନ୍ଦୋଳନକାରୀ ସମୟ‌ରେ ଜଣେ ଶିଶୁ ଥିଲେ। ଶାହିନ ବାଗ୍‌ ଅଞ୍ଚଳର ଶିଶୁମାନଙ୍କୁ ସ୍କୁଲ୍‌ରେ ‘ପାକିସ୍ତାନୀ’ କୁହାଯାଉଥିବା କହିଥିଲେ। ଏଥିରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ପ୍ରଧାନ ବିଚାରପତି ଜଣେ ଆଇନଜୀବୀଙ୍କୁ ଅପ୍ରାସଙ୍ଗିକ ଯୁକ୍ତି ନରଖିବାକୁ କହିଥିଲେ। ପ୍ରଧାନ ବିଚାରପତି କହିଥିଲେ ଏହା କୋର୍ଟ ଏବଂ ମାତୃତ୍ବ ପ୍ରତି ଆମର ସର୍ବାଧିକ ସମ୍ମାନ ରହିଛି।

ସମ୍ବନ୍ଧିତ ଖବର