‘ସଶସ୍ତ୍ର ବାହିନୀରେ ପରକୀୟା ପ୍ରୀତି ଏକ ଅପରାଧ ହେଉ’

ସରକାରଙ୍କ ପ୍ରସ୍ତାବକୁ ସୁପ୍ରିମକୋର୍ଟ ବିଚାର କରିବାକୁ ରାଜି

ନୂଆଦିଲ୍ଲୀ: ପ୍ରତିରକ୍ଷା ବାହିନୀରେ ପରକୀୟା ପ୍ରୀତିକୁ ଏକ ଅପରାଧ ଭାବେ ବିବେଚନା କରିବାକୁ କେନ୍ଦ୍ର ସରକାର ଦେଇଥିବା ପ୍ରସ୍ତାବକୁ ସୁପ୍ରିମକୋର୍ଟ ବିଚାର କରିବେ ବୋଲି ବୁଧବାର ରାଜି ହୋଇଛନ୍ତି। ନିଜ ସହଯୋଗୀ କର୍ମଚାରୀଙ୍କ ପତ୍ନୀଙ୍କ ସହ ପରକୀୟା ପ୍ରୀତି ରଖିଥିବା ଜଣେ ସାମରିକ ଅଧିକାରୀଙ୍କ କ୍ଷେତ୍ରରେ ମାନ୍ୟବର ଅଦାଲତ ୨୦୧୮ ମସିହାରେ ପରକୀୟା ପ୍ରୀତି ସଂକ୍ରାନ୍ତ ଦେଇଥିବା ରାୟ ଲାଗୁ ନକରିବା ପାଇଁ ସରକାର ତାଙ୍କ ଆବେଦନରେ ଦର୍ଶାଇଛନ୍ତି। ତେବେ ଏ ଭଳି ମାମଲାରେ ବିଚାର କରିବା ପାଇଁ ଏକ ପାଞ୍ଚଜଣିଆ ଖଣ୍ଡପୀଠ ଗଠନ କରିବା ଲାଗି ଜଷ୍ଟିସ ଆର୍ ଏଫ୍‌ ନରିମାନ୍‌, ନବୀନ ସିହ୍ନା ଓ କେ ଏମ୍‌ ଯୋଶେଫ୍‌ଙ୍କ ଦ୍ବାରା ଗଠିତ ତିନିଜଣିଆ ଖଣ୍ଡପୀଠ ପ୍ରଧାନ ବିଚାରପତି ଏସ୍‌ ଏ ବୋବଡ଼େଙ୍କୁ ସୁପାରିସ କରିଛନ୍ତି।

ସୂଚନାଯୋଗ୍ୟ, ପୁରୁଷମାନଙ୍କ ପାଇଁ ପରକୀୟା ପ୍ରୀତି ଏକ ଅପରାଧ ବୋଲି ପ୍ରାବଧାନ ଥିବା ଭାରତୀୟ ପିଙ୍ଗଳ ଆଇନର ଧାରା ୪୯୭କୁ ସୁପ୍ରିମକୋର୍ଟର ଏକ ପାଞ୍ଚଜଣିଆ ଖଣ୍ଡପୀଠ ୨୦୧୮ ମସିହାରେ ହଟାଇ ନେଇଥିଲେ। ଦୀର୍ଘ ୧୫୮ ବର୍ଷ ଧରି ରହି ଆସିଥିବା ଏହି ଆଇନ ସମ୍ବିଧାନ ବିରୋଧୀ ବୋଲି ଖଣ୍ଡପୀଠ ସେତେବେଳେ ଟିପ୍ପଣୀ କରିଥିଲେ। ତେବେ ସାମରିକ ସେବାରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ବରୂପ ପରକୀୟା ପ୍ରୀତିରେ ଲିପ୍ତ ହେଉଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସ୍ବତନ୍ତ୍ର ନୀତି ନିୟମ ରହିଥିଲେ ହେଁ ଏ ପ୍ରକାର ବିଶେଷ ମାମଲା ସମ୍ପର୍କରେ ଅଦାଲତ ସ୍ପଷ୍ଟ କରିବା ସହ ୨୦୧୮ ମସିହାର ରାୟକୁ ସଂପୃକ୍ତ ଦୋଷୀ ଅଧିକାରୀଙ୍କ ପାଇଁ ଲାଗୁ ନକରିବା ପାଇଁ ସରକାର ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର