ସାଙ୍ଗର ଭାଣିଜୀ ସହ ଦୁଷ୍କର୍ମ କରି ସାଉଦୀ ପଳାଇଥିବା ଅଭିଯୁକ୍ତକୁ ଇଣ୍ଟରପୋଲ୍ ସହାୟତାରେ ଧରିଲେ ଏହି ମହିଳା ଆଇପିଏସ୍

ତିରୁବନନ୍ତପୁରମ୍: ସାଧାରଣରେ ପୁଲିସର କାର୍ଯ୍ୟକଳାପକୁ ନେଇ ଲୋକଙ୍କ ମନରେ ଏକ ଭିନ୍ନ ଧାରଣା ରହିଛି । ଅନେକ କ୍ଷେତ୍ରରେ ଅପରାଧୀଙ୍କୁ ଧରିବାରେ ପୁଲିସ ବିଫଳ ହେଉଥିବା ବେଳେ ପୁଲିସ ଉପରେ ଲୋକଙ୍କ ଭରସା ରହୁନାହିଁ । ଏଭଳି କ୍ଷେତ୍ରରେ ପୁଲିସ ବିଭାଗକୁ ଗର୍ବିତ କରିଛନ୍ତି ମହିଳା  ଅଫିସର ମେରିନ୍ ଜୋସେଫ।

କେରଳର ଡିସିପି ମେରିନ୍ ଜୋସେଫ ଏମିତି ଏକ ମାମଲାର ସମାଧାନ କରିଛନ୍ତି ଯେଉଁଥି ପାଇଁ ପୂରା ରାଜ୍ୟରେ ଏହି ମହିଳା  ଅଫିସରଙ୍କୁ ନେଇ ଚର୍ଚ୍ଚା ହେଉଛି । ୨ ବର୍ଷ ତଳର ଏକ ଦୁଷ୍କର୍ମ ମାମଲାରେ ସାଉଦି ଆରବକୁ ଖସି ପଳାଇ ଯାଇଥିବା ଅଭିଯୁକ୍ତକୁ ରିଆଦରୁ ଗିରଫ କରି ଆଣିବାରେ ସଫଳ ହୋଇଛନ୍ତି ମେରିନ । ୧୩ ବର୍ଷର ନାବାଳିକାକୁ ଦୁଷ୍କର୍ମ କରି ସାଉଦି ଆରବ ଫେରାର ହୋଇଯାଇଥିବା ଅଭିଯୁକ୍ତ ସୁନୀଲ କୁମାର ଭଦ୍ରନ କେରଳ ମେରିନ୍ ଜୋସେଫ ପାଇଁ ମୋଷ୍ଟ ୱାଣ୍ଟେଡ ଥିଲା । ତେବେ ଦେଶ ବାହାରକୁ ଚାଲି ଯାଇଥିବାରୁ ଏହି ମାମଲାକୁ ନଜର ଅନ୍ଦାଜ କରୁଥିଲା କେରଳର କୋଲ୍ଲମ ପୋଲିସ ।

Indiatimes.com

ଅଭିଯୁକ୍ତ ଦୁଷ୍କର୍ମକାରୀ ୨୦୧୭ରେ ଛୁଟି କାଟିବା ପାଇଁ କେରଳ ଆସିଥିଲା । ଆଉ ଏହି ସମୟରେ ନିଜ ସାଙ୍ଗଙ୍କ ୧୩ ବର୍ଷର ଭାଣିଜୀ ସହ ଦୁଷ୍କର୍ମ କରିଥିଲା  । ତେବେ ଏ ନେଇ ନାବାଳିକାଙ୍କ ପରିବାର ପକ୍ଷରୁ ପୁଲିସରେ ଅଭିଯୋଗ ହେବା ପରେ ଅଭିଯୁକ୍ତ ସୁନୀଲଙ୍କୁ ଖୋଜିଥିଲା ପୁଲିସ । ଏପରିକି ସୁନୀଲଙ୍କ ନାଁରେ ଲୁକ୍ ଆଉଟ ନୋଟିସ ମଧ୍ୟ ଜାରି କରାଯାଇଥିଲା । ଆଉ ସେତେବେଳକୁ ସାଉଦି ଆରବକୁ ଖସି ପଳାଇଥିଲା ଅଭିଯୁକ୍ତ ସୁନୀଲ । ଆଉ ଘଟଣାର କିଛି ଦିନ ମଧ୍ୟରେ ଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତା ପ୍ରାଣ ହରାଇଥିଲେ ।

ଦୁଷ୍କର୍ମ ଘଟଣାକୁ ଏହା ଭିତରେ ୨ ବର୍ଷ ବିତି ଯାଇଥିଲେ ମଧ୍ୟ ମାମଲାଟି ଗୋଟିଏ ପାଦ ଆଗକୁ ମଧ୍ୟ ବଢିନଥିଲା । ତେବେ ୨୦୧୯ରେ ଆଇପିଏସ ଅଫିସର ମେରିନ ଜୋସେଫ କୋଲ୍ଲମର ଡିସିପି ଭାବେ ଦାୟିତ୍ୱ ନେବା ପରେ ନାଲି ଫିତା ତଳେ ବନ୍ଦ ପଡିଥିବା ଏହି ମାମଲାଟି ପୁଣିଥରେ ଖୋଲିଥିଲା । ଇଣ୍ଟରପୋଲ ନୋଟିସ ଜାରି ହୋଇଥିଲେ ମଧ୍ୟ କେସଟି ସେହିଭଳି ବନ୍ଦ ପଡି ରହିଥିଲା । ଅଭିଯୁକ୍ତକୁ ଧରିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ମେରିନ । ଆଉ ଉପରିସ୍ଥ ଅଧିକାରୀଙ୍କ ଠାରୁ ଗ୍ରୀନ୍ ସିଗନାଲ ମିଳିବା ପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ସାଉଦି ଆରବରେ ପହଞ୍ଚିଥିଲେ ସେ । ଆଉ କେସ୍ ସମ୍ବନ୍ଧୀୟ କାଗଜପତ୍ର ଦେଖାଇବା ସହ ସୁନୀଲ କୁମାରଙ୍କୁ ସାଉଦି ଆରବରୁ ଭାରତକୁ ଗିରଫ କରି ଆଣିଛନ୍ତି ମେରିନ । ସୁନୀଲ ପ୍ରଥମ ଅପରାଧୀ ଯାହାକୁ ବିଦେଶରୁ ଗିରଫ କରି ଆଣିବାରେ ସଫଳ ହୋଇଛି କେରଳ ପୁଲିସ ।

ସମ୍ବନ୍ଧିତ ଖବର