ସିବିଆଇ ବିବାଦ: ଦେଶବ୍ୟାପୀ ବିକ୍ଷୋଭ

ଦିଲ୍ଲୀରେ ରାହୁଲଙ୍କ ଗିରଫଦାରୀ ‘ଚୌକିଦାରଙ୍କୁ ଚୋରି କରିବାକୁ ଦେବୁ ନାହିଁ’

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ରେ ନିର୍ଦ୍ଦେଶକ ଏବଂ ସ୍ବତନ୍ତ୍ର ନିର୍ଦ୍ଦେଶକଙ୍କୁ ନେଇ ଚାଲିଥିବା ବିବାଦ ଏବେ ରାଜନୈତିକ ଲଢ଼େଇରେ ପରିଣତ ହୋଇଛି। କଂଗ୍ରେସ ଆଜି ଏହି ବିବାଦକୁ ରାଫେଲ ଚୁକ୍ତି ସହିତ ଯୋଡ଼ି ଦେଶବ୍ୟାପୀ ସିବିଆଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି। ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆନ୍ଦୋଳନର ନେତୃତ୍ବ ନେଇ ସିବିଆଇ ମୁଖ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୁଲିସ ରାହୁଲଙ୍କ ସମେତ ଅନ୍ୟ ବିରୋଧୀ ଦଳ ନେତାଙ୍କୁ ଲୋଧି ରୋଡ ପୁଲିସ ଷ୍ଟେସନରେ ପ୍ରାୟ ୫୦ ମିନିଟ୍‌ ଅଟକ ରଖିଥିଲା । ରାହୁଲ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି କହିଥିଲେ ଯେ ରାଫେଲ ଦୁର୍ନୀତିକୁ ଲୁଚାଇବା ପାଇଁ ପ୍ରଧାନମନ୍ତ୍ରୀ ସବୁ ସୀମା ଅତିକ୍ରମ କରିଛନ୍ତି। କେବଳ ଅନୀଲ ଅମ୍ବାନିଙ୍କ ସଂସ୍ଥାକୁ ଫାଇଦା ଦେବାପାଇଁ ସରକାର କାମ କରୁଛନ୍ତି ବୋଲି ସେ କହିଥିଲେ। କଂଗ୍ରେସ ‘ଚୌକିଦାର’ଙ୍କୁ ଚୋରି କରିବାକୁ ଦେବାନାହିଁ ବୋଲି ରାହୁଲ କହିଥିଲେ ` ରାଫେଲ ଚୁକ୍ତିର ସଠିକ୍‌ ଯାଞ୍ଚ ପାଇଁ ସିବିଆଇ ମୁଖ୍ୟଙ୍କୁ ପୁନଃ ଅବସ୍ଥାପିତ କରାଯିବାକୁ ସେ ଦାବି କରିଥିଲେ। ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କ ବିକ୍ଷୋଭ ପ୍ରଦର୍ଶନକୁ ଟିଏମ୍‌୍‌ସି ଓ ଅନ୍ୟ କେତେକ ଦଳ ସମର୍ଥନ କରିଥିବା ଦେଖିବାକୁ ମିଳିଥିଲା। ରାହୁଲ ଦୟାଲ ସିଂହ କଲେଜରୁ ଶୋଭାଯାତ୍ରା ଆରମ୍ଭ କରିଥିଲେ। ସିବିଆଇ କାର୍ଯ୍ୟାଳୟ ଆଡ଼କୁ ଯାଇଥିବା ରାସ୍ତାକୁ ପୁଲିସ ସିଲ୍‌ କରିଦେଇଥିବା ବେଳେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ସିଆର୍‌ପିଏଫ୍‌ ମୁତୟନ ହୋଇଥିଲେ। ରାହୁଲଙ୍କ ସହିତ କଂଗ୍ରେସର ବରିଷ୍ଠ ନେତା ଅଶୋକ ଗେହଲଟ, ଆନନ୍ଦ ଶର୍ମା, ଅହମ୍ମଦ ପଟେଲ, ଦୀପେନ୍ଦର ହୁଦା, ଶରଦ ଯାଦବ ଏବଂ ସିପିଆଇ ନେତା ଡି. ରାଜା ସାମିଲ ହୋଇଥିଲେ।

କଂଗ୍ରେସ ହତାଶ: ରାଜନାଥ

ଦିଲ୍ଲୀ ସମେତ ଆଜି ଉତ୍ତର ପ୍ରଦେଶ, ପଂଜାବ, ମହାରାଷ୍ଟ୍ର, କର୍ଣ୍ଣାଟକ, ହରିୟାଣା ଏବଂ ଅନ୍ୟ କେତେକ ରାଜ୍ୟରେ ମଧ୍ୟ ସିବିଆଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ ନେଇ ପ୍ରତିକ୍ରିୟା ପ୍ରକାଶ କରି ଗୃହମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ କଂଗ୍ରେସ ପାଖରେ ଏବେ ଲୋକଙ୍କ ସ୍ବାର୍ଥକୁ ନେଇ କୌଣସି ପ୍ରସଙ୍ଗ ନାହିଁ ଏବଂ କେବଳ ବିଭ୍ରାନ୍ତି ସୃଷ୍ଟି ଉଦ୍ଦେଶ୍ୟରେ କଂଗ୍ରେସ ସିବିଆଇର ଆଭ୍ୟନ୍ତରୀଣ ବିବାଦକୁ ରାଫେଲ ସହ ଯୋଡ଼ିବାକୁ ଚେଷ୍ଟା କରୁଛି। ତଦନ୍ତ ରିପୋର୍ଟକୁ ଅପେକ୍ଷା ନକରି କଂଗ୍ରେସ ନେତାମାନେ ଯେଭଳି କାଣ୍ଡ କରୁଛନ୍ତି ତାହା ସେମାନଙ୍କ ହତାଶାର ପ୍ରତିଫଳନ ବୋଲି ରାଜନାଥ କହିଛନ୍ତି।

ସମ୍ବନ୍ଧିତ ଖବର