ସୁପ୍ରିମ କୋର୍ଟରେ ଟିଏମ୍‌ସିକୁ ଝଟ୍‌କା: ତ୍ରିପୁରାରେ ପୌର ନିର୍ବାଚନ ଘୁଞ୍ଚାଇବାକୁ ମନାକଲେ

ନୂଆଦିଲ୍ଲୀ: ତ୍ରିପୁରାରେ ଟିଏମ୍‌ସି (ତୃଣମୂଳ କଂଗ୍ରେସ)କୁ ଝଟ୍‌କା ଲାଗିଛି। ହିଂସା ପରିପ୍ରେକ୍ଷୀରେ ଆସନ୍ତା ୨୫ ତାରିଖରେ ହେବାକୁ ଥିବା ପୌର ନିର୍ବାଚନକୁ ଘୁଞ୍ଚାଇବା ଏବଂ ଅନ୍ୟ ବିରୋଧୀ ଦଳ ଗୁଡ଼ିକ ବିରୋଧରେ ହିଂସା ରୋକିବାକୁ ସରକାର ବିଫଳ ହୋଇଥିବାରୁ ତାଙ୍କ ବିରୋଧରେ ଅଦାଲତ ଅବମାନନା ଅଭିଯୋଗ ଟିଏମ୍‌ସି ଆଣିଥିଲା। ଏହି ଆବେଦନର ଶୁଣାଣି କରି ପ୍ରଚାରର ଶେଷଦିନରେ ସୁପ୍ରିମ କୋର୍ଟ ଆଜି ନିର୍ବାଚନ ଘୁଞ୍ଚାଇବା ପାଇଁ ମନା କରିଦେଇଛନ୍ତି। ତେବେ ସୁରକ୍ଷା ବ୍ୟବସ୍ଥା ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ହିଂସା ପ୍ରଭାବିତ ରାଜ୍ୟରେ ମୁକ୍ତ ଏବଂ ଅବାଧ ନିର୍ବାଚନ ପାଇଁ କି ପ୍ରକାର ବ୍ୟବସ୍ଥା ହୋଇଛି ତାହାର ରିପୋର୍ଟ ଦାଖଲ କରିବା ପାଇଁ ସୁପ୍ରିମ କୋର୍ଟ ରାଜ୍ୟର ପୁଲିସ ମହାନିର୍ଦ୍ଦେଶକ ଓ ଗୃହ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କ ଉପସ୍ଥିତିରେ ଦଳର ଜଣେ ବିଧାୟକ ଉତ୍ତେଜନା ସୃଷ୍ଟିକାରୀ ବୟାନ ଦେଇଥିଲେ କି ନାହିଁ ତାହା ଜଣାଇବା ପାଇଁ ସୁପ୍ରିମ କୋର୍ଟ ରାଜ୍ୟର ବିଜେପି ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ କହିଲେ, ତ୍ରିପୁରା ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନାକୁ ରେକର୍ଡ କରାଯାଇଛି। ନିର୍ବାଚନ ଘୁଞ୍ଚାଇବା ପାଇଁ ତୃଣମୂଳ କରିଥିବା ଆବେଦନକୁ ‌ନେଇ ସେ କହିଥିଲେ, ଏଭଳି କରିବା ଦ୍ବାରା ଭୁଲ୍‌ ପରମ୍ପରା ସୃଷ୍ଟି ହେବ। ସୁପ୍ରିମ କୋର୍ଟରେ ଡିଜିପି ଆଶ୍ବାସନା ଦେଇଥିଲେ, ଯେକୌଣସି ରାଜନୈତିକ ଦଳ ନିର୍ବାଚନ ପ୍ରଚାର କରନ୍ତୁ ନା କାହିଁକି କାହାରିକୁ ରୋକାଯିବ ନାହିଁ। ପୁଲିସ ସମସ୍ତ ଦଳର ପ୍ରତିନିଧିମାନଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦେବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ତ୍ରିପୁରାରେ ପାରାମିଲିଟାରୀ ଫୋର୍ସ ମୁତୟନ ଅଛନ୍ତି।

ସମ୍ବନ୍ଧିତ ଖବର