ସୋପିଆନ୍‌ରେ ଏନ୍‌କାଉଣ୍ଟର, ସୁରକ୍ଷା ବାହିନୀ ହିଟ୍‌ଲିଷ୍ଟ୍‌ରୁ ଆଉ ୪ ଆତଙ୍କବାଦୀ ନିପାତ

ସ୍ଥାନୀୟ ଯୁବକଙ୍କ ହିଂସାକୁ ପଣ୍ଡ କଲା ସେନା

ସୋପିଆନ୍‌: ଜମ୍ମୁ କଶ୍ମୀରର ସୋପିଆନ୍‌ରେ ଆଜି ସୁରକ୍ଷା ବାହିନୀ ୪ ଜଣ ଆତଙ୍କବାଦୀଙ୍କୁ ନିପାତ କରିବା ସହ ସେମାନଙ୍କଠାରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରିଛି। ଏହି ଆତଙ୍କବାଦୀମାନେ ହେଲେ ଚାନ୍ଦପୋରାର ସୌକତ ଅହମ୍ମଦ, ପୁଲୱାରାମର ଅହମଦ ଖାଣ୍ଡେ, ସୁହେଲ ୟୁସୁଫ୍‌ ଏବଂ ସୋପିଆନର ରଫି ହସନ। ଏହି ଚାରି ଆତଙ୍କବାଦୀ ସୁରକ୍ଷା ବାହିନୀ ହିଟ୍‌ ଲିଷ୍ଟ୍‌ରେ ରହିଥିଲେ ଏବଂ ଅମରନାଥ ଯାତ୍ରା ପୂର୍ବରୁ ସେମାନଙ୍କୁ ନିପାତ କରିବାକୁ ଯୋଜନା ହୋଇଥିଲା। ସୁରକ୍ଷା ବାହିନୀ ଉପରେ ବଡ଼ ଆକ୍ରମଣ ପାଇଁ ଏହି ଆତଙ୍କବାଦୀମାନେ ପ୍ରସ୍ତୁତ ହେଉଥିବା ନେଇ କିଛିଦିନ ତଳେ ଗୁଇନ୍ଦା ରିପୋର୍ଟ ମିଳିଥିଲା। ଏହାପରେ ସେମାନଙ୍କୁ ଠାବ କରିବା ପାଇଁ ବ୍ୟାପକ ପ୍ରୟାସ ହୋଇଥିଲା। ଆଜି ସେମାନଙ୍କୁ ସୋପିଆନ୍‌ର ଏକ ଗ୍ରାମରେ ଆଜି ଠାବ କରାଯାଇଥିଲା। ସୁରକ୍ଷା ବାହିନୀ ସମଗ୍ର ଅଂଚଳକୁ ଘେରି ଯିବା ପରେ ଆତଙ୍କବାଦୀମାନେ ଖସିବାକୁ ବାଟ ପାଇନଥିଲେ। ଆଜି ଅପରାହ୍ନରେ ସମସ୍ତ ଆତଙ୍କବାଦୀଙ୍କ ଶବ ମିଳିଥିବା ବେଳେ ସେମାନଙ୍କଠାରୁ ଅତ୍ୟାଧୁନିକ ସ୍ବୟଂଚାଳିତ ବନ୍ଧୁକ, ଗ୍ରେନେଡ ଆଦି ମିଳିଛି। ସୋପିଆନ୍‌ ଅଂଚଳରେ ଯୁବକମାନଙ୍କୁ ଆତଙ୍କବାଦୀ ସଂଗଠନରେ ଭର୍ତ୍ତି କରିବା ପାଇଁ ମଧ୍ୟ ଏହି ୪ ଆତଙ୍କବାଦୀ ସକ୍ରିୟ ହୋଇ କାର୍ଯ୍ୟ କରୁଥିଲେ। ଆଜି ସେମାନଙ୍କ ନିପାତ ପରେ କେତେକ ଅଂଚଳରେ ହିଂସା ଦେଖିବାକୁ ମିଳିଥିଲା। ତେବେ ସ୍ଥାନୀୟ ଯୁବକଙ୍କ ହିଂସାକୁ ତୁରନ୍ତ ନିୟନ୍ତ୍ରଣ କରିବାରେ ସୁରକ୍ଷା ବାହିନୀ ସକ୍ଷମ ହୋଇଥିଲା। ବିଗତ ୫ ମାସ ମଧ୍ୟରେ ଜମ୍ମୁ କଶ୍ମୀରରେ ୧୩୦ରୁ ଅଧିକ ଆତଙ୍କବାଦୀ ନିପାତ ହେଲେଣି।

ସମ୍ବନ୍ଧିତ ଖବର