ସ୍ବାଧୀନତା ଦିବସରେ କର୍ଣ୍ଣାଟକର ଶିବମୋଗାରେ ସାଂପ୍ରଦାୟିକ ଉତ୍ତେଜନା, ୧୪୪ ଧାରା ଲାଗୁ

ବେଙ୍ଗାଲୁରୁ : ସୋମବାର ଦେଶ ୭୬ତମ ସ୍ବାଧୀନତା ଦିବସ ପାଳନ କରୁଥିବାବେଳେ କର୍ଣ୍ଣାଟକର ଦୁଇଟି ସହର ଶିବମୋଗା ଓ ମାଙ୍ଗାଲୁରୁରେ ସାଂପ୍ରଦାୟିକ ଉତ୍ତେଜନା ଦେଖାଦେଇଛି ।

ଶିବମୋଗାର ଅମିର ଅହମ୍ମଦ ସର୍କଲରେ ବୀର ସବରକର ଓ ଟିପୁ ସୁଲତାନଙ୍କ ପୋଷ୍ଟର ମାରିବାକୁ ନେଇ ହିନ୍ଦୁବାଦୀ ଓ ଆଉ ଏକ ସ୍ଥାନୀୟ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଦେଖାଯିବାରୁ ପୁଲିସକୁ ହସ୍ତକ୍ଷେପ କରି ମୃଦୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା ।

ଉକ୍ତ ସ୍ଥାନରେ ପ୍ରଥମେ ହିନ୍ଦୁବାଦୀ ଗୋଷ୍ଠୀପକ୍ଷରୁ ବୀର ସବରକରଙ୍କ ପୋଷ୍ଟର ଲଗାଯିବାରୁ ବିପକ୍ଷ ଗୋଷ୍ଠୀ ପକ୍ଷରୁ ତାହାକୁ ବିରୋଧ କରି ପୋଷ୍ଟର ହଟାଇ ଟିପୁ ସୁଲତାନଙ୍କ ପୋଷ୍ଟର ଲଗାଯିବାରୁ ବିବାଦ ଆରମ୍ଭ ହୋଇଥିଲା । ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପୁଲିସକୁ ମୃଦୁ ଲାଠିଚାଳନା କରାଯିବା ସହ ୧୪୪ ଧାରା ଲଗାଇବାକୁ ପଡ଼ିଥିଲା । ଯେଉଁ ସ୍ଥାନରେ ଉଭୟ ଗୋଷ୍ଠୀ ନିଜ ନିଜ ପୋଷ୍ଟର ଲଗାଇବାକୁ ଉଦ୍ୟମ କରୁଥିଲେ ସେଠାରେ ପୁଲିସ ପକ୍ଷରୁ ତ୍ରିରଙ୍ଗା ପତାକା ଲଗାଯାଇଥିଲା ।

ଏହାର କିଛି ଦିନ ପୂର୍ବେ ମାଙ୍ଗାଲୁରୁରେ ବି ବୀର ସବରକରଙ୍କ ପୋଷ୍ଟର ମରାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ସହରର ସୁରଥକଲ ଜଙ୍କସନକୁ ବୀର ସବରକର ସର୍କଲଭାବେ ନାମିତ ଏକ ପୋଷ୍ଟର ମରାଯିବାରୁ ବିବାଦ ସୃଷ୍ଟି ହୋଇଥିଲା । ଏହା ବିରୋଧରେ ସୋସିଆଲ ଡେମୋକ୍ରାଟିକ ପାର୍ଟି ( ଏସଡିପିଆଇ) ପକ୍ଷରୁ ଏକ ମାମଲା ରୁଜ୍ଜୁ କରାଯାଇଥିଲା ।

ସମ୍ବନ୍ଧିତ ଖବର