ୟୁକ୍ରେନ ଯୁଦ୍ଧର ପ୍ରଭାବ : ୨୭୦୦ ପଏଣ୍ଟ ଖସିଲା ସେନସେକ୍ସ, ୧୩.୬ ଲକ୍ଷ କୋଟି ହରାଇଲେ ନିବେଶକ

ମୁମ୍ବାଇ : ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ପରେ ସାରା ବିଶ୍ବର ଅର୍ଥନୀତି ଉପରେ ଗୁରୁତର ପ୍ରଭାବ ପଡ଼ିବା ଆରମ୍ଭ କରିଛି । ଏହା ଫଳରେ ସାରା ବିଶ୍ବର ଷ୍ଟକ ବଜାରରେ ଦ୍ରୁତ ହ୍ରାସ ପରିଲକ୍ଷିତ ହୋଇଛି । ଭାରତର ଷ୍ଟକ ବଜାରରେ ମଧ୍ୟ ଯୁଦ୍ଧର ପ୍ରଭାବ ପଡ଼ିଛି ।

ବିଏସଇ ସେନସେକ୍ସ ୨୭୦୨ ପଏଣ୍ଟ ହ୍ରାସ ପାଇ ୫୪,୫୩୦ ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫଟୀ ସୂଚକାଙ୍କ ୮୧୫ ପଏଣ୍ଟ ହ୍ରାସ ପାଇ ୧୬,୨୪୮ ପଏଣ୍ଟରେ ବନ୍ଦ ହୋଇଛି । ସେନସେକ୍ସରେ ଏହି ଦ୍ରୁତ ହ୍ରାସ ଫଳରେ ନିବେଶକମାନେ ପ୍ରାୟ ୧୩.୬ ଲକ୍ଷ କୋଟି ହରାଇଛନ୍ତି । କେବଳ ଭାରତୀୟ ଷ୍ଟକ ବଜାର ନୁହେଁ, ସମଗ୍ର ବିଶ୍ବର ଷ୍ଟକ ବଜାରଗୁଡ଼ିକ ଖସି ଚାଲିଛନ୍ତି ।

ଅନ୍ୟପକ୍ଷରେ ଯୁଦ୍ଧ ଯୋଗୁଁ ବିଶ୍ବ ବଜାରରେ ଅଶୋଧିତ ତେଲ ଦର ଦ୍ରୁତ ଗତିରେ ବଢିଚାଲିଛି । ଯୁଦ୍ଧ ଆରମ୍ଭ ହେବା ପରେ ବ୍ରେଣ୍ଟ କ୍ରୁଡ ଅଏଲ ଆଜି ଗୋଟିଏ ଦିନରେ ୮.୬୮ ପ୍ରତିଶତ ବୃଦ୍ଧି ପାଇ ବ୍ୟାରେଲ ପିଛା ୧୦୫ ଡଲାରକୁ ବୃଦ୍ଧି ପାଇଛି । ସେହିପରି ଡବ୍ଲୁଟିଆଇ କ୍ରୁଡ୍ ବି ୮.୬ ପ୍ରତିଶତ ବୃଦ୍ଧି ପାଇ ବ୍ୟାରେଲ ପିଛା ୧୦୦ ଡଲାର ଟପିଯାଇଛି । ଏହାଫଳରେ ଭାରତ ପରି ତେଲ ଆମଦାନୀ କରୁଥିବା ଦେଶମାନେ ଆଗକୁ ବିପୁଳ କ୍ଷତି ସହିବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର