ୟୁନିସେଫ୍‌ ରିପୋର୍ଟ: ୬୯% ଶିଶୁ ମୃତ୍ୟୁର କାରଣ କୁପୋଷଣ

ନୂଆଦିଲ୍ଲୀ: ଭାରତରେ କୁପୋଷଣ ଯୋଗୁଁ ବହୁ ସଂଖ୍ୟାରେ ଶିଶୁ ପ୍ରାଣ ହରାଉଛନ୍ତି। ୫ ବର୍ଷରୁ କମ୍‌ ବୟସର ଶିଶୁ ମୃତ୍ୟୁ କ୍ଷେତ୍ରରେ ୬୯ ପ୍ରତିଶତ କୁପୋଷଣ ଯୋଗୁଁ ହେଉଛି ବୋଲି ୟୁନିସେଫ୍‌ ରିପୋର୍ଟରୁ ଜଣାପଡ଼ିଛି। ‘ଦି ଷ୍ଟେଟ୍‌ ଅଫ୍‌ ଦି ୱାର୍ଲ୍ଡସ ଚିଲ୍‌ରେନ୍‌ ୨୦୧୯’ ରିପୋର୍ଟରେ କୁହାଯାଇଛି ଯେ ୫ ବର୍ଷରୁ କମ୍‌ ବୟସର ପ୍ରତି ୨ ଜ‌ଣରେ ଜଣେ ଶିଶୁ କୁପୋଷଣ ଦ୍ବାରା ପ୍ରଭାବିତ। ବୟସ ଅନୁପାତରେ ଅବିକଶିତ ଶିଶୁଙ୍କ ସଂଖ୍ୟା ୩୫ ପ୍ରତିଶତ , ବୟସ ଅନୁପାତରେ ଓଜନ କମ୍‌ ଥିବା ଶିଶୁଙ୍କ ସଂଖ୍ୟା ୧୭ ପ୍ରତିଶତ ଏବଂ ଅଧିକ ଓଜନ ଥିବା ଶିଶୁଙ୍କ ସଂଖ୍ୟା ୨ ପ୍ରତିଶତ ବୋଲି ଏହି ରିପୋର୍ଟରୁ ଜଣାପଡ଼ିଛି।

୬ରୁ ୨୩ ମାସ ପର୍ଯ୍ୟନ୍ତ କେବଳ ୪୨ ପ୍ରତିଶତ ଶିଶୁ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ପାଉଥିବା ଏବଂ ୨୧ ପ୍ରତିଶତ ଶିଶୁଙ୍କୁ ପର୍ଯ୍ୟାପ୍ତ ପରିମାଣରେ ବିଭିନ୍ନ ପ୍ରକାର ଖାଦ୍ୟ ଉପଲବ୍ଧ ହୋଇପାରୁଥିବା ଏହି ରିପୋର୍ଟରେ କୁହାଯାଇଛି। ଅନ୍ୟପକ୍ଷେ ଭାରତୀୟ ମହିଳାଙ୍କ ସ୍ବାସ୍ଥ୍ୟ କ୍ଷେତ୍ରରେ ପ୍ରତି ଦୁଇ ଜଣରେ ଜଣେ ମହିଳା ରକ୍ତହୀନତାର ଶିକାର। ରିପୋର୍ଟରେ କୁହାଯାଇଛି ଯେ ୫ ବର୍ଷରୁ କମ୍‌ ଅନେକ ଶିଶୁ ରକ୍ତହୀନତାର ଶିକାର ହେଉଛନ୍ତି। ପୁଅଙ୍କ ତୁଳନାରେ ଝିଅମାନେ ଅଧିକ ରକ୍ତହୀନତାର ଶିକାର ହେଉଛନ୍ତି। ଅନ୍ୟପକ୍ଷେ ଭାରତରେ ମଧ୍ୟ ଅଧିକାଂଶ ଶିଶୁ ହାଇପରଟେନସନ୍‌, କିଡନି ଏବଂ ମଧୁମେହ‌ ରୋଗରେ ବି ପୀଡ଼ିତ। ରିପୋର୍ଟରୁ ଏହା ଜଣାପଡ଼ିଛି ଯେ ୫ ବର୍ଷରୁ କମ୍‌ ବୟସର ଅଧିକାଂଶ ଶିଶୁଙ୍କଠାରେ ସୂକ୍ଷ୍ମ ପୋଷକର ଅଭାବ ‌ଦେଖାଦେଇଛି। ୫ ବର୍ଷରୁ କମ୍‌ ବୟସର ପ୍ରତି ୫ ଜଣରୁ ଜଣେ ଶିଶୁଙ୍କଠାରେ ଭିଟାମିନ୍‌ ଏ ଅଭାବ ଦେଖାଦେଇଛି। ପ୍ରତି ୩ ଜ‌ଣରେ ଜଣେ ଶିଶୁଙ୍କଠାରେ ଭିଟାମିନ୍‌ ବି-୧୨ ଅଭାବ ଦେଖାଦେଇଛି । ପ୍ରତି ୫ ଜଣରେ ୨ ଜଣ ଶିଶୁ ରକ୍ତହୀନତାର ଶିକାର। ପୋଷଣ ଅଭିଯାନ ଏକ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଏହି ରିପୋର୍ଟରେ କୁହାଯାଇଛି।

ସମ୍ବନ୍ଧିତ ଖବର