୧୨ କୋଟି କୃଷକଙ୍କ ଉପକାର ଲାଗି ୭୫ ହଜାର କୋଟି ଟଙ୍କାର କିଷାନ୍‌ ଆୟ ଯୋଜନା ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ରବିବାର ଦିନ ଉତ୍ତର ପ୍ରଦେଶର ଗୋରଖପୁର ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷକମାନଙ୍କ ହିତ ଲାଗି ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’(ପିଏମ୍‌-କିଷାନ୍‌) ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ କୃଷକମାନଙ୍କୁ ବାର୍ଷିକ ୬ ହଜାର ଲେଖାଏଁ ଟଙ୍କା ତିନିଟି କିସ୍ତିରେ ମିଳିବ।

କୃଷକ ଆୟ ଯୋଜନା ଆରମ୍ଭ କରିବା ପରେ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ପ୍ରଧାନମନ୍ତ୍ରୀ ମୋଦି ଦେଶବ୍ୟାପୀ କୃଷକମାନଙ୍କ ସହ କଥାବାର୍ତ୍ତା କରିଛନ୍ତି।

ଏହାକୁ ଐତିହାସିକ ଦିବସ କହି, ମୋଦି ଟୁଇଟ୍‌ କରି କହିଛନ୍ତି ଯେ ପିଏମ୍‌-କିଷାନ ଯୋଜନା ଆମ ଦେଶବାସୀଙ୍କୁ ଖୁଆଉ ଥିବା ଭାରତର କୋଟି କୋଟି କଠିନ ପରିଶ୍ରମୀ କୃଷକମାନଙ୍କ ଆକାଙ୍କ୍ଷାକୁ ଉତ୍ସାହ ଦେବ।

ମୋଦି କହିଛନ୍ତି, ଯୋଜନାର ଶୁଭାରମ୍ଭ ଦୁଇଟି ଜିନିଷ ପ୍ରକାଶ କରୁଛି। କୃଷକ କଲ୍ୟାଣ ଲାଗି ଏନ୍‌ଡିଏର ଦୃଢ଼ ପ୍ରତିବଦ୍ଧତା ଓ ଦ୍ରୁତ ନିଷ୍ପତ୍ତି ଗ୍ରହଣ। ଫେବ୍ରୁଆରି ୧ରେ ଘୋଷିତ ଏହି ଯୋଜନା ଫେବ୍ରୁଆରି ୨୪ରେ ଆରମ୍ଭ କରାଯାଉଛି।

ଦୁଇ ହେକ୍ଟର୍‌ ଯାଏଁ ଜମି ଥିବା ୧୨ କୋଟିରୁ ଅଧିକ କୃଷକ ଏହି ଯୋଜନାରୁ ସୁଫଳ ପାଇବେ ବୋଲି ଆଶା କରାଯାଉଛି। ଏଥିରେ ବାର୍ଷିକ ୭୫, ୦୦୦ କୋଟି ଟଙ୍କା ବ୍ୟୟ କରାଯିବ।

ରବିବାର ଦିନ ପ୍ରାୟ ୧ କୋଟି କୃଷକ ୨୦୦୦ ଟଙ୍କାର ପ୍ରଥମ କିସ୍ତି ପାଇବେ। ଅର୍ଥ ସିଧାସଳଖ ହିତାଧିକାରୀଙ୍କ ଜମାଖାତାକୁ ସ୍ଥାନାନ୍ତର ହେବ।

ସମ୍ବନ୍ଧିତ ଖବର