୨୬/୧୧ ଆକ୍ରମଣ ଘଟଣାର ତଦନ୍ତରେ ଦୋମୁହାଁ ନୀତି ଛାଡ଼ିବାକୁ ପାକିସ୍ତାନକୁ ଚେତାବନୀ ଶୁଣାଇଲା ଭାରତ

ନୂଆଦିଲ୍ଲୀ: ୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣାକୁ ଆଜି ୧୦ ବର୍ଷ ପୂର୍ତ୍ତି ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବେଶ କଡ଼ା ଶବ୍ଦରେ ଏହି ଘଟଣାକୁ ନେଇ ପାକିସ୍ତାନର ନିନ୍ଦା କରିଛନ୍ତି। ୨୬/୧୧ ଆତଙ୍କବାଦୀ ହାମ୍‌ଲାକୁ କୌଣସି ଭାରତୀୟ ଯେତେ ଚେଷ୍ଟା କଲେ ବି କେବେହେଲେ ଭୁଲି ପାରିବ ନାହିଁ। ଏହି ଘଟଣାରେ ପ୍ରାଣ ହରାଇଥିବା ୧୬୬ ଜଣ ଭାରତୀୟ ନାଗରିକଙ୍କ ସମେତ ବିଦେଶୀ ନାଗରିକଙ୍କ ପରିବାର ବର୍ଗ ଏବେ ବି ଏହି ଘଟଣାରେ ନ୍ୟାୟ ପାଇବା ପାଇଁ ଅପେକ୍ଷା କରି ରହିଛନ୍ତି। ୨୬/୧୧ ଘଟଣାରେ ପାକିସ୍ତାନର ସଂପୃକ୍ତିକୁ ନେଇ ଭାରତ ପକ୍ଷରୁ ଏକାଧିକ ପ୍ରମାଣ ଭାରତ ପକ୍ଷରୁ ପାକିସ୍ତାନକୁ ପ୍ରଦାନ କରାଯାଇ ସାରିଛି। ତେବେ, ଏହି ଘଟଣାରେ ସଂପୃକ୍ତ ଦୋଷୀମାନଙ୍କୁ ଦଣ୍ଡଦେବା ପରିବର୍ତ୍ତେ ପାକିସ୍ତାନ ସେମାନଙ୍କୁ ଘଣ୍ଟ ଘୋଡ଼ାଇ ଚାଲିବା ସହ ସୁରକ୍ଷା ପ୍ରଦାନ କରୁଛି। ଏବଂ ବିଶ୍ୱ ସମୁଦାୟରେ ନିଜର ଛବି ଓ ଭାବମୂର୍ତ୍ତିକୁ ରକ୍ଷା କରିବାକୁ ଯାଇ ୨୬/୧୧ ଘଟଣାର ତଦନ୍ତରେ ଭାରତକୁ ସହଯୋଗ କରୁଛି ବୋଲି କହୁଛି। ତେଣୁ, ଏପରିସ୍ଥିତରେ ୨୬/୧୧ ଆକ୍ରମଣ ଘଟଣାର ତଦନ୍ତରେ ନିଜର ଦୋମୁହାଁ ନୀତି ଛାଡ଼ି ଘଟଣାରେ ସଂପୃକ୍ତ ଦୋଷୀମାନଙ୍କ ପ୍ରତି ଉପଯୁକ୍ତ ଦଣ୍ଡବିଧାନ ସହ ସେମାନଙ୍କୁ ହସ୍ତାନ୍ତର କରିବା ପାଇଁ ଆଜି ପାକିସ୍ତାନକୁ ଚେତାବନୀ ଶୁଣାଇଛି ଭାରତ।

ସମ୍ବନ୍ଧିତ ଖବର