୨୬/୧୧ ମୁମ୍ବାଇ, ପଠାନକୋଟ ଆତଙ୍କବାଦୀ ଆକ୍ରମଣକୁ କ୍ବାଡ୍ ଦେଶଙ୍କ ନେତା

ଟୋକିଓ : ଜାପାନର ଟୋକିଓଠାରେ ଚାଲିଥିବା କ୍ବାଡ୍ ସମ୍ମିଳନୀରେ ଆତଙ୍କବାଦକୁ ଏକସ୍ବରରେ ନିନ୍ଦା କରାଯାଇଛି । କ୍ବାଡ୍ ସଦସ୍ୟ ରାଷ୍ଟ୍ର ଆମେରିକା, ଭାରତ, ଜାପାନ ଓ ଅଷ୍ଟ୍ରେଲିଆର ରାଷ୍ଟ୍ରମୁଖ୍ୟମାନେ ଭାରତରେ ହୋଇଥିବା ୨୬/୧୧ ମୁମ୍ବାଇ ଆକ୍ରମଣ, ପଠାନକୋଟ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଛନ୍ତି ।

କ୍ବାଡ ରାଷ୍ଟ୍ରମୁଖ୍ୟ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଅନ୍ଥୋନୀ ଆଲବାନିଜ ଓ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଡାଙ୍କ ପକ୍ଷରୁ ଜାରି ମିଳିତ ଘୋଷଣାନାମାରେ କୁହାଯାଇଛି ଯେ ଆତଙ୍କବାଦ ପଛରେ ଯାହାବି କାରଣ ଥାଉ ଏହାକୁ ଠିକ ବୋଲି କୁହାଯାଇପାରିବ ନାହିଁ । ଏହା ସହିତ ପାକିସ୍ତାନର ନାଁ ନ ନେଇ ଆତଙ୍କବାଦୀମାନଙ୍କୁ ଆର୍ଥିକ, ଅସ୍ତ୍ରଶସ୍ତ୍ର , ଲଜିଷ୍ଟିକ୍ସ ସହାୟତା ପ୍ରଦାନ କରୁଥିବା ଦେଶମାନଙ୍କୁ ମଧ୍ୟ ନିନ୍ଦା କରାଯାଇଛି ।

ସୂଚନାଯୋଗ୍ୟ ଯେ ୨୦୦୮, ନଭେମ୍ବର ୨୬ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଓ ୨୦୧୬ରେ  ପଞ୍ଜାବର ପଠାନକୋଟ ଏୟାରବେସ ଆକ୍ରମଣ ପଛରେ ପାକିସ୍ତାନ ସମର୍ଥିତ ଲସ୍କର-ଇ-ତୋଇବା ଓ ଜୈସ-ଇ-ମହମ୍ମଦର ହାତ ଥିଲା ବୋଲି ଭାରତୀୟ ଏଜେନ୍ସିମାନଙ୍କ ତଦନ୍ତରୁ ସ୍ପଷ୍ଟ ହୋଇଛି ।

ସୂଚନାଯୋଗ୍ୟ ଯେ, କ୍ବାଡ୍ ହେଉଛି ୪ଟି ଦେଶ ଭାରତ, ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନର ଏକ ମେଣ୍ଟ । ଏସିଆରେ ଚୀନର ବଢିଚାଲିଥିବା ଆଧିପତ୍ୟକୁ ରୋକିବାକୁ ଏହି ସାମରିକ ଓ ଆର୍ଥିକ ମେଣ୍ଟ ଗଠନ କରାଯାଇଛି ।

 

ସମ୍ବନ୍ଧିତ ଖବର