୨୭ ବର୍ଷ ପରେ ବି ମିଳିଲାନି ଘର, ଏଣିକି ୭ ଗୁଣ ଅଧିକ ଟଙ୍କା ଦେବେ ବିଲଡର

ମୁମ୍ବାଇ: ଘରଟିଏ କରିବାର ସ୍ୱପ୍ନ ପ୍ରାୟ ସମସ୍ତଙ୍କର ଥାଏ | ଆଉ ଘରଟିଏ କରିବା ପାଇଁ ବା ବିଲ୍ଡରଠାରୁ ପାଇବା ପାଇଁ ଟଙ୍କା ସଞ୍ଚୟ କରିଥାନ୍ତି | କିନ୍ତୁ ଅନେକ ଥର କ୍ରେତାମାନେ ବିଲଡର କିମ୍ବା ଅନ୍ୟ କାରଣରୁ ଘର ଠିକ୍ ସମୟରେ ପାଇ ନ ଥାନ୍ତି | ନିକଟରେ, ନଭି ମୁମ୍ବାଇରୁ ଏପରି ଏକ ମାମଲା ଦେଖିବାକୁ ମିଳିଛି |ଯେଉଁଠାରେ ଜଣେ ବ୍ୟକ୍ତି ୨୭ ବର୍ଷ ପୂର୍ବେ ଫ୍ଲାଟ ବୁକ୍ କରିଥିଲେ ଏବଂ ସେ ଆଜି ପର୍ଯ୍ୟନ୍ତ ତାହା ପାଇନାହାଁନ୍ତି | ଏହାର ପ୍ରତିବଦଳରେ, ଜାତୀୟ ଉପଭୋକ୍ତା ବିବାଦ ସମାଧାନ ଆୟୋଗ ଉକ୍ତ ବ୍ୟକ୍ତିଙ୍କୁ କ୍ଷତିପୂରଣ ବାବଦରେ ଫ୍ଲାଟର ମୂଲ୍ୟର ସାତଗୁଣ ପରିମାଣର ଅର୍ଥ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବାସ୍ତବରେ, ଏହି ଘଟଣା ନଭି ମୁମ୍ବାଇର ଲୋଖଣ୍ଡୱାଲା ଅଞ୍ଚଳର ବୋଲି ଜଣାପଡିଛି | ପ୍ରାୟ ୨୭ ବର୍ଷ ପୂର୍ବେ ଦୁଇ ଜଣ ବ୍ୟକ୍ତି ସିଟି ବିଲଡର୍ସର ସିଟି ଏମବାସି ପ୍ରୋଜେକ୍ଟରେ ଉଭୟ ୧୫୭୦ ବର୍ଗଫୁଟର ଫ୍ଲାଟ ବୁକ୍ କରିଥିଲେ |

ନଭେମ୍ବର ୧୯୯୫ରେ ସେମାନେ ୧୨.୫୬ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। କିନ୍ତୁ ଅନେକ ବର୍ଷ ବିତିଯାଇଥିଲେ ମଧ୍ୟ ସେମାନେ ଫ୍ଲାଟ ପାଇନଥିଲେ | ଏହାକୁ ନେଇ ଉଭୟ ବ୍ୟକ୍ତି ଜାତୀୟ ଉପଭୋକ୍ତା ବିବାଦ ସମାଧାନ ଆୟୋଗରେ ଅଭିଯୋଗ କରିଥିଲେ |ଏହାର ବିଚାର କରି ଆଦେଶରେ କୁହାଯାଇଛି ଯେ ଉଭୟ ବ୍ୟକ୍ତିଙ୍କୁ ବିଲଡର ଜଣକ ୯୧ ଲକ୍ଷ ଏବଂ ୮୮ ଲକ୍ଷ ଟଙ୍କା ଦେବେ । ଅର୍ଥାତ ବୁକିଂ ପରିମାଣର ୭ ଗୁଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି | ଅଭିଯୋଗକାରୀମାନେ କହିଛନ୍ତି ଯେ ଫ୍ଲାଟ ପାଇଁ ସେମାନେ ବହୁତ ହଇରାଣ ହୋଇଥିଲେ ମଧ୍ୟ ଫ୍ଲାଟ ପାଇ ନଥିଲେ।

ପରିଶେଷରେ, ୨୦୧୨ ରେ ମହାରାଷ୍ଟ୍ର ରାଜ୍ୟ ଉପଭୋକ୍ତା ବିବାଦ ସମାଧାନ ଆୟୋଗରେ ଅଭିଯୋଗ କରିଥିଲେ | ରାଜ୍ୟ ଆୟୋଗ ବିଲଡରକୁ ଚାରିମାସ ମଧ୍ୟରେ ଫ୍ଲାଟ ସମାପ୍ତ କରି ଅଭିଯୋଗକାରୀଙ୍କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତଥାପି ବିଲଡର ଏହି ନିର୍ଦ୍ଦେଶକୁ ବେଖାତିର କରିଥିଲେ | ଆଉ ଏବେ ଜରିମାନା ସହ ୭ ଗୁଣ ଅଧିକ ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି |

ସମ୍ବନ୍ଧିତ ଖବର