୨ ବର୍ଷ ପରେ ନିୟମିତ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ

ନୂଆଦିଲ୍ଲୀ: ଗତ ୨୦୨୦ ମାର୍ଚ୍ଚ ୨୩ରୁ କୋଭିଡ୍-୧୯ ସଂକ୍ରମଣକୁ ରୋକିବା ପାଇଁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ କଟକଣା ଲଗାଯାଇଥିଲା। ଆଜି (ରବିବାର) ୨ ବର୍ଷାଧିକ କାଳ ପରେ ଏହି ଉଡ଼ାଣ ପୁଣି ସ୍ବାଭାବିକ ହୋଇଛି। ଏହି ଦୁଇବର୍ଷ ମଧ୍ୟରେ ପରିସ୍ଥିତିକୁ ଦେଖି ସର୍ତ୍ତମୂଳକ ଭାବେ ତଥା କିଛି କଟକଣା ସହ ୩୭ଟି ଦେଶ ସହିତ ଦ୍ବିପାକ୍ଷିକ ରାଜିନାମା ଭିତ୍ତିରେ ବିମାନ ଉଡ଼ାଣ କରାଯାଉଥିଲା। ଗତ ଡିସେମ୍ବର ୧୫ରୁ ଅନ୍ତର୍ଜାତୀୟ ବାଣିଜ୍ୟିକ ବିମାନ ଉଡ଼ାଣ ଆରମ୍ଭ କରିବାକୁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ନିଷ୍ପତ୍ତି ନେଇଥିବା ବେଳେ ଦେଶରେ ଓମିକ୍ରନ୍‌ଜନିତ ସଂକ୍ରମଣ ବଢ଼ିବା ସୂଚନା ମିଳିବାରୁ ସେହି ନିଷ୍ପତ୍ତିକୁ ପୁଣି ପ୍ରତ୍ୟାହାର କରାଯାଇଥିଲା। ରବିବାର କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ଅନ୍ତର୍ଜାତୀୟ ଉଡ଼ାଣ ପୁଣି ଆରମ୍ଭ ହେଲେ ବିଶ୍ବ ସହ ଭାରତ ପୁଣି ଯୋଡ଼ିହୋଇପାରିବ। ରବିବାରଠାରୁ ଛଅଟି ଭାରତୀୟ ଓ ୬୦ଟି ଅନ୍ୟ ଦେଶ ଏୟାରଲାଇନ୍ସର ବିମାନ ୬୩ଟି ଦେଶ ମଧ୍ୟରେ ଚଳାଚଳ କରିବ ବୋଲି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ସୂତ୍ରରୁ ଜଣାପଡ଼ିଛି। ଗ୍ରୀଷ୍ମଋତୁର ସୂଚୀ ଅନୁସାରେ ସାପ୍ତାହିକ ବିଦେଶୀ ଏୟାରଲାଇନ୍ସଗୁଡ଼ିକ ୧,୭୮୩ଟି ଓ ଭାରତୀୟ କ୍ୟାରିୟରଗୁଡ଼ିକ ୧,୪୬୬ଟି ଉଡ଼ାଣ ଭରିବେ।

ସମ୍ବନ୍ଧିତ ଖବର