ୱାଙ୍ଖଡେଙ୍କ ବିରୋଧରେ ନୱାବ ମଲିକଙ୍କ ବିସ୍ଫୋରକ ଚିଠି: ୨୬ ମାମଲାରେ ସଠିକ ନିୟମ ପାଳନ କରିନାହାନ୍ତି

ଅନେକ ଲୋକଙ୍କୁ ମିଥ୍ୟା ମାମଲାରେ ଫସାଇଛନ୍ତି

ନୂଆଦିଲ୍ଲୀ: ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନ୍‌ସିପି ନେତା ନୱାବ ମଲିକ ମୁମ୍ବାଇ ଏନ୍‌ସିବିର ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ବିରୋଧରେ ଲଗାତାର ଆକ୍ରମଣ ଜାରି ରଖିଛନ୍ତି। ମଲିକ ଆଜି ୱାଙ୍ଖଡେଙ୍କ ବିରୋଧରେ ଏକ ବିସ୍ଫୋରକ ଚିଠି ଜାରି କରିଛନ୍ତି। ଏନ୍‌ସିବିର ଜଣେ କର୍ମଚାରୀଙ୍କ ସୂତ୍ରରୁ ପାଇଥିବା ଚିଠିକୁ ଜାରି କରି ମଲିକ କହିଛନ୍ତି, ୱାଙ୍ଖଡେ ୨୬ଟି ମାମଲାରେ ସଠିକ୍‌ ନିୟମର ପାଳନ କରିନାହାନ୍ତି ଏବଂ ମିଥ୍ୟା ମାମଲାରେ ଅନେକ ଲୋକଙ୍କୁ ଫସାଇଛନ୍ତି। ମଲିକ କହିଛନ୍ତି, ଜଣେ ଅଜ୍ଞାତ ଏନ୍‌ସିବି ଅଧିକାରୀ ମୋ ପାଖକୁ ଏହି ଚିଠି ପଠାଇଛନ୍ତି। ୱାଙ୍ଖଡେ ଅନେକ ଲୋକଙ୍କୁ ଭୁଲ୍‌ ମାମଲାରେ ଫସାଇଛନ୍ତି। ଉକ୍ତ ଘଟଣାରେ ଆମେ ତଦନ୍ତ ଦାବି କରୁଛୁ ‌ବୋଲି ମଲିକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ମଲିକ ମଧ୍ୟ ଏହି ଚିଠିଟିକୁ ଟ୍ବିଟରରେ ସେୟାର କରିଛନ୍ତି। ଜଣେ ଦାୟିତ୍ବବାନ୍‌ ନାଗରିକ ଭାବେ ମୁଁ ଏହି ଚିଠିଟିକୁ ନାର୍କୋଟିକ୍ସ ଡିଜିଙ୍କ ନିକଟକୁ ପଠାଇବି ଏବଂ ଏହି ଚିଠିଟିକୁ ତଦନ୍ତ ପରିସରକୁ ଆଣିବାକୁ୍ ଅନୁରୋଧ କରିବି ବୋଲି ମଲିକ କହିଛନ୍ତି।

ୱାଙ୍ଖଡେ ବେଆଇନ ଭାବେ ମୁମ୍ବାଇ ଏବଂ ଥାନେରୁ ୨ ଜଣ ବ୍ୟକ୍ତିଙ୍କ ଦ୍ବାରା କିଛି ଲୋକଙ୍କ ଫୋନ୍‌ ଟ୍ୟାପ୍‌ କରିଛନ୍ତି ବୋଲି ମଲିକ ଅଭିଯୋଗ କରିଛନ୍ତି। ଦିଲ୍ଲୀ ପୁଲିସ କମିସନର ରାକେଶ ଅସ୍ଥାନାଙ୍କ ବିରୋଧରେ ମଧ୍ୟ ଅଭିଯୋଗ ହୋଇଛି। ଚିଠିରେ ଏହା କୁହାଯାଇଛି ଯେ, ବଲିଉଡ୍‌ କଳାକାରମାନଙ୍କୁ ଫସାଇବାପାଇଁ ରାକେଶ ଅସ୍ଥାନା ସମୀର ୱାଙ୍ଖଡେ ଏବଂ କେପିଏସ୍‌ ମଲହୋତ୍ରାଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର