ଗୃହଯୁଦ୍ଧରେ ପରିଣତ ହୋଇପାରେ ଇରାନ ଆନ୍ଦୋଳନ, ଅସ୍ତ୍ର ଉଠାଇଲେ ଆନ୍ଦୋଳନକାରୀ

ତେହେରାନ : ଇରାନରେ ଚାଲିଥିବା ହିଜାବ ବିରୋଧୀ ଆନ୍ଦୋଳନ ଏବେ ଏକ ନୂଆ ମୋଡ଼ ନେଇଛି । ଆନ୍ଦୋଳନକାରୀଙ୍କ ଉପରେ ପୁଲିସ ପ୍ରବଳ ଦମନଲୀଳା ଚଳାଇଥିବାବେଳେ ଆନ୍ଦୋଳନକାରୀମାନେ ଅସ୍ତ୍ରଉଠାଇବା ଆରମ୍ଭ କରିଛନ୍ତି । ଇରାନର ଯୁବତୀମାନେ ଇରାନର ପଶ୍ଚିମରେ ଥିବା କୁର୍ଦ୍ଦିସ୍ତାନ ବିଦ୍ରୋହୀମାନଙ୍କ ସହ ହାତ ମିଳାଇ ଅସ୍ତ୍ରଶସ୍ତ୍ର ତାଲିମ ନେଉଛନ୍ତି ।

ଚଳିତ ମାସ ଆରମ୍ଭରେ ଏପରି କେତେକ ଯୁବତୀ ବୋମା ବିସ୍ଫୋରଣ କରିବା ପରେ ଇରାନ ସରକାରଙ୍କ ଚିନ୍ତା ବଢିଯାଇଥିଲା । କାରଣ କୁର୍ଦ୍ଦିସ୍ତାନ ବିଦ୍ରୋହୀମାନେ ଇରାନ ସରକାରଙ୍କ ପ୍ରବଳ ବିରୋଧୀ ଭାବେ ଜଣାଶୁଣା ।

ତେବେ ଆନ୍ଦୋଳନକାରୀମାନେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଛାଡ଼ି ଅସ୍ତ୍ରଉଠାଇବା ପରେ ଆଗକୁ ଏହି ଆନ୍ଦୋଳନ ଏକ ବଡ଼ ହିଂସାତ୍ମକ ଗୃହଯୁଦ୍ଧରେ ପରିଣତ ହେବାର ଆଶଙ୍କା କରାଯାଉଛି ।

ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ମାସ ୨ୟ ସପ୍ତାହରେ ଇରାନର ରାଜଧାନୀ ତେହେରାନ ବୁଲିବାକୁ ଆସିଥିବା ମାସା ଅମିନି ନାମକ ଜଣେ ୨୨ ବର୍ଷୀୟା ଯୁବତୀ ଠିକଭାବେ ହିଜାବ ପିନ୍ଧିନଥିବାରୁ ମୋରାଲ ପୁଲିସ ( ଧାର୍ମିକ ବ୍ୟାପାର ସଂପର୍କିତ ପୁଲିସ) ଗିରଫ କରିଥିଲା । ହାଜତରେ ତାଙ୍କୁ ପ୍ରବଳ ମାଡ଼ ମରାଯିବା ପରେ ସେପ୍ଟେମ୍ବର ୧୫ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ମୃତ୍ୟୁପାଇଁ ଅମିନିଙ୍କ ପରିବାର ପୁଲିସକୁ ଦାୟୀ କରୁଛନ୍ତି । ଏହା ପରେ ସମଗ୍ର ଇରାନରେ ଆନ୍ଦୋଳନର ବହ୍ନି ତେଜିବାରେ ଲାଗିଛି । ଅନ୍ୟପକ୍ଷରେ ଇରାନ ସରକାର ଏହି ଆନ୍ଦୋଳନ ପଛରେ ବିଦେଶୀ ଶକ୍ତିଙ୍କ ହାତ ଥିବା କହୁଛନ୍ତି ।

 

 

ସମ୍ବନ୍ଧିତ ଖବର