ଦିଲ୍ଲୀ ଟ୍ରାକ୍ଟର୍‌ ରାଲିରେ ଗିରଫ ହୋଇଥିବା ପ୍ରତି ପ୍ରତିବାଦକାରୀଙ୍କୁ ୨ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବେ ପଞ୍ଜାବ ସରକାର

ଚଣ୍ଡୀଗଡ଼: ଚଳିତ ବର୍ଷ ଜାନୁଆରି ୨୬ ସାଧାରଣତନ୍ତ୍ର ଦିବସରେ କୃଷକମାନଙ୍କ ଟ୍ରାକ୍ଟର୍‌ ରାଲି ସମୟରେ ଘଟିଥିବା ହିଂସାକାଣ୍ଡ ଘଟଣାରେ ଦିଲ୍ଲୀରେ ଗିରଫ ହୋଇଥିବା ୮୩ଜଣ ବ୍ୟକ୍ତିଙ୍କ ପାଇଁ ପଞ୍ଜାବ ସରକାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

ଶୁକ୍ରବାର ଦିନ ଟୁଇଟ୍‌ କରି ପଞ୍ଜାବର ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ତିନି କଳା କୃଷି ଆଇନକୁ ବିରୋଧ କରି ଚାଲିଥିବା କୃଷକମାନଙ୍କ ପ୍ରତିବାଦକୁ ମୋ ସରକାର ସମର୍ଥନ କରୁଛି ବୋଲି ପୁନର୍ବାର ଘୋଷଣା କରିବା ସହ ୨୦୨୧ ଜାନୁଆରି ୨୬ ତାରିଖ ଦିନ ଜାତୀୟ ରାଜଧାନୀରେ ଟ୍ରାକ୍ଟର୍‌ ରାଲି କରିଥିବା କାରଣରୁ ଦିଲ୍ଲୀ ପୁଲିସଦ୍ବାରା ଗିରଫ ହୋଇଥିବା ୮୩ଜଣଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ଆମେ ସ୍ଥିର କରିଛୁ।

କେନ୍ଦ୍ର ସରକାରଙ୍କ ତିନି ନୂଆ କୃଷି ଆଇନକୁ ବିରୋଧ କରି ମୁଖ୍ୟତଃ ପଞ୍ଜାବ ଏବଂ ହରିୟାଣାର କୃଷକମାନେ ଦିଲ୍ଲୀ ସୀମାନ୍ତ ନିକଟରେ ଡେରା ପକାଇ ବର୍ଷେ ହେବ ପ୍ରତିବାଦ ଚଳାଇଛନ୍ତି।

Image Courtesy of Mint

ଦିଲ୍ଲୀ ପୁଲିସ ଏବଂ କୃଷକନେତାମାନଙ୍କ ସହ ଆଲୋଚନା ପରେ କେତେକ ନିର୍ଦ୍ଦିଷ୍ଟ ରାସ୍ତାରେ ଚଳିତ ବର୍ଷ ଜାନୁଆରି ୨୬ ତାରିଖ ଦିନ କୃଷକମାନଙ୍କ ଟ୍ରାକ୍ଟର୍‌ ରାଲି ପାଇଁ ଅନୁମତି ଦିଆଯାଇଥିଲା। କିନ୍ତୁ, ପୁଲିସକୁ ଅମାନ୍ୟ କରି କୃଷକଦଳ ଲାଲ୍‌କିଲ୍ଲାରେ ପହଞ୍ଚିବା ପରେ ପରେ ପରିସ୍ଥିତି ଗୋଳମାଳିଆ ହୋଇଯାଇଥିଲା। ନିର୍ଦ୍ଧାରିତ ରାସ୍ତାରେ ନ ଯାଇ ପ୍ରତିବାଦକାରୀ କୃଷକମାନ‌େ ବେରିକେଡ୍‌ ଭାଙ୍ଗି ଦିଲ୍ଲୀରେ ପ୍ରବେଶ କରିଥିଲେ ବୋଲି ପୁଲିସ ଅଭିଯୋଗ କରିଥିଲା। କୃଷକମାନେ ଲାଲ୍‌କିଲ୍ଲାରେ ପ୍ରବେଶ କରି ପ୍ରାଚୀର ଉପରେ ପତାକା ଉଡ଼ାଇଥିଲେ।

କୃଷକମ‌ାନେ ଦଳ ଦଳ ହୋଇ ପୁଲିସ ଓ ନିରାପତ୍ତା ବଳଙ୍କ ସହ ସଂଘର୍ଷ କରିବାରୁ ସେଦିନ ଦିଲ୍ଲୀରେ ଗୋଳମାଳ ଓ ହିଂସାକାଣ୍ଡର ଅଭୂତପୂର୍ବ ଦୃଶ୍ୟ ଦେଖା ଯାଇଥିଲା। ଏଥିପାଇଁ ଅନେକଙ୍କୁ ପୁଲିସ ଗିରଫ କରିଥିଲା।

ସମ୍ବନ୍ଧିତ ଖବର