ଗୁରୁଗ୍ରାମରେ ଦ୍ୱିତୀୟ ଡୋଜ୍‌ ଟିକା ୯୦% ଦିଆଗଲାଣି

ଗୁରୁଗ୍ରାମ : ଓମିକ୍ରନ୍‌ର ସାମ୍ନା କରିବା କଥା ଉଠିଲା ବେଳକୁ ଗୁରୁଗ୍ରାମ ସହର ଏହାର ଟିକାକରଣ କଭରେଜ୍ ଉପରେ କିଛି ଆଶ୍ୱାସନା ଦେଇଛି। ଏକ ମାସର ଡୋରଷ୍ଟେପ୍‌ ଟକାକରଣ ଅଭିଯାନ ‘ହର ଘର ଦସ୍ତକ’ ନଭେମ୍ବର ୩ରେ ଆରମ୍ଭ ହେବା ପରଠାରୁ ସହରର ଦ୍ୱିତୀୟ ଡୋଜ୍ କଭରେଜକ ୯୦%କୁ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ୧.୪ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି। ଲୋକସଂଖ୍ୟାକୁ ହିସାବକୁ ନେଇ ଟାର୍ଗେଟ ଧାର୍ଯ୍ୟ କରାଯାଇଥାଏ। ଏହି ସଂଖ୍ୟା ମଧ୍ୟ ସଂଶୋଧିତ ହୋଇଥାଏ। ଗୁରୁଗ୍ରାମ ପାଇଁ ଏହି ସଂଖ୍ୟା ୧୮.୦୩ ଲକ୍ଷ। ତେବେ ସହରରେ ପ୍ରଥମ ଡୋଜ୍ ଟିକା ବର୍ତ୍ତମାନ ସୁଦ୍ଧା ୨୨.୬ ଲକ୍ଷ ଥିବାରୁ ଦ୍ବିତୀୟ ଡୋଜ ଟିକାକରଣକୁ ଅଧିକ ତ୍ବରାନ୍ବିତ କରିବାକୁ ହେବ।

ଡୋର୍‌ଷ୍ଟେପ୍‌ ଅଭିଯାନରେ ଟିକା ନେଇଥିବା ମୋଟ ୧.୪ ଲକ୍ଷ ମଧ୍ୟରୁ ୧.୦୧ ଲକ୍ଷ ଦ୍ୱିତୀୟ ଡୋଜ ଏବଂ ୩୮,୩୩୭ ପ୍ରଥମ ଡୋଜ ନେଇଥିଲେ। ସହରରେ ସମ୍ପୂର୍ଣ୍ଣ ଟିକାକରଣ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ବର୍ତ୍ତମାନ ୧୬.୨୨ ଲକ୍ଷ ରହିଛି। ଆଗାମୀ ଦିନରେ ଦୁଇଟି ମେଗା ଟିକାକରଣ ଡ୍ରାଇଭ୍ ଯୋଜନା କରାଯିବ। ସହରର ମୋଟ ୧୬ଟି ଶିଳ୍ପ, ମଲ୍, ଡାକ୍ତରଖାନା ଏବଂ କାର୍ଯ୍ୟାଳୟ ଆନୁଷ୍ଠାନିକ ଭାବରେ ଶତ ପ୍ରତିଶତ ଟିକାକରଣ ସ୍ଥିତି ହାସଲ କରିଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଅକ୍ଟୋବର ୨୭ରେ ଲୋକଙ୍କୁ ଘରେ ‌ଘରେ ଟିକାକରଣ ପାଇଁ ଡୋର୍‌ଷ୍ଟେପ୍‌ ଅଭିଯାନ ଘୋଷଣା କରିଥିଲେ। ଚଳିତ ମାସରେ ଏହି ଅଭିଯାନ ଜାରି ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି।

ସମ୍ବନ୍ଧିତ ଖବର