ନୂଆଦିଲ୍ଲୀ: କିଛି ଦିନ ତଳେ ଫେସବୁକ୍ ବ୍ୟବହାରକାରୀଙ୍କ ଡାଟା ଲିକ୍ ହେବା ମୁଖ୍ୟ ଖବର ପାଲଟିଥିଲା। ଏ ନେଇ ଫେସବୁକର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ କ୍ଷମା ମାଗିବା ସହ ଆଗକୁ ଏଭଳି ହେବ ନାହିଁ ବୋଲି କହିଥିଲେ। କିନ୍ତୁ ଏବେ ପୁଣି ଏକ ବଡ଼ ଧରଣର ଡାଟା ଚୋରିର ଖବର ସାମ୍ନାକୁ ଆସିଛି। ଫେସବୁକ୍, ଲିଙ୍କଡ୍ ଇନ୍ ଓ ଟୁଇଟରରେ ଥିବା ପ୍ରୋଫାଇଲ ଡାଟା ଚୋରି ହୋଇଥିବା ବେଳେ ପ୍ରାୟ ୧.୨ବିଲିୟନ ବ୍ୟବହାରକାରୀଙ୍କ ଡାଟା ଚୋରି ହୋଇଥିବା ଜଣାପଡ଼ିଛି।
ସାଇବର ସିକ୍ୟୁରିଟି ରିସର୍ଚ୍ଚର ଭିନି ଟ୍ରୋଇଆ ଏତେ ବଡ଼ ଡାଟା ଚୋରିର ଖୁଲାସା କରିବା ସହ ଡାଟା ଯେଉଁ ସର୍ଭରରେ ରଖାଯାଇଥିଲା, ତାହା ସୁରକ୍ଷିତ ନ ଥିଲା ବୋଲି କହିଛନ୍ତି। ୪ଟେରାବାଇଟ ବ୍ୟକ୍ତିଗତ ଡାଟା ଚୋରି ହୋଇଥିବା ବେଳେ ଏଥିରେ କ୍ରେଡିଟ୍ କାର୍ଡର ବିବରଣୀ ବା କୌଣସି ପାସୱାର୍ଡ ସାମିଲ ନଥିବା ଜଣାପଡ଼ିଛି। କେବଳ ସୋସିଆଲ ମିଡିଆ ପ୍ରୋଫାଇଲର ବିବରଣୀ ଓ ଫୋନ ନମ୍ବର ଚୋରି କରାଯାଇଥିବା ବେଳେ ଏହାକୁ ହ୍ୟାକିଂ ପାଇଁ ବ୍ୟବହାର କରାଯିବାର ଆଶଙ୍କା ରହିଛି।
ଭିନି ଟ୍ରୋଇଆଙ୍କ ମୁତାବକ, ୧.୨ବିଲିୟନ ମଧ୍ୟରୁ ୫୦ମିଲିୟନ ଫୋନ ନମ୍ବର ଓ ୬୬୨ମିଲିୟନ ୟୁନିକ୍ ଇମେଲ ଠିକଣା ସାମିଲ ରହିଛି। ଏହା ମଧ୍ୟରେ କେତେ ଜଣ ଭାରତୀୟ ରହିଛନ୍ତି ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ନିଶ୍ଚିତ ଭାବରେ ଭାରତୀୟ ବ୍ୟବହାରକାରୀ ଥିବେ ବୋଲି କୁହାଯାଉଛି। ଏହାର ପ୍ରଭାବ ସଙ୍ଗେ ସଙ୍ଗେ ନ ପଡ଼ିଲେ ମଧ୍ୟ ପରେ ଏହାର ପ୍ରଭାବ ଦେଖିବାକୁ ମିଳିବ। କାରଣ ହ୍ୟାକର୍ସମାନେ ଡାଟାକୁ ଫିଲଟର କରିବା ପରେ ଯାଇ ନିଜ କାମରେ ଲଗାଇବେ, ଯାହା ପାଇଁ ସମୟ ଲାଗିବ।