ନୂଆଦିଲ୍ଲୀ : ଓଡ଼ିଶାର ଏକ କୋଟି ୩୨ ଲକ୍ଷ ୩୯ ହଜାର ୫୬୪ ଅଣସଂଗଠିତ କ୍ଷେତ୍ରର ଶ୍ରମିକ ଇ-ଶ୍ରମ ପୋର୍ଟାଲରେ ନାମ ପଞ୍ଜୀକରଣ କରିଛନ୍ତି। ସୋମବାର ଦିନ ଲୋକସଭା ପ୍ରଶ୍ନ କାଳରେ ବିଜେପି ସାଂସଦ ବସନ୍ତ କୁମାର ପଣ୍ଡାଙ୍କ ମୌଖକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ।
ମନ୍ତ୍ରୀଙ୍କ ସୂଚନା ହେଲା, ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନାରେ ୧୭ ଲକ୍ଷ ଏକ ହଜାର ୬୧୨, ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନାରେ ୩୫ ଲକ୍ଷ ୧୭ ହଜାର ୭୩୪ ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ଓଡ଼ିଶାର ୯୮ ଲକ୍ଷ ୭୩ ହଜାର ୭୬୭ ଜଣଙ୍କ ପଞ୍ଜୀକରଣ ହୋଇଛି। ଚଳିତ ମାସ ୨୪ ସୁଦ୍ଧା ଦେଶରେ ୨୬.୮୯ କୋଟି ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟକରୁଥିବା ଶ୍ରମିକ ଇ-ଶ୍ରମ ପୋର୍ଟାଲରେ ନାମ ପଞ୍ଜୀକରଣ କରିଛନ୍ତି। ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକୃତ ଶ୍ରମିକମାନଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନା ଓ କଲ୍ୟାଣକାରୀ ଯୋଜନାର ଫାଇଦା ଉପଲବ୍ଧ କରାଯାଇଥାଏ। ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନାରେ ମାସିକ ୩୦୦୦ ଟଙ୍କାର ପେନସନ ଓ ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ୨ ଲକ୍ଷ ଟଙ୍କାର ବୀମା ବ୍ୟବସ୍ଥା ଉପଲବ୍ଧ ଥିବା କେନ୍ଦ୍ରମନ୍ତ୍ରୀ ଉତ୍ତରରେ କହିଛନ୍ତି।