ଏକାସାଙ୍ଗରେ ଆକାଉଣ୍ଟକୁ ଆସିଗଲା ୨୮୬ ମାସର ଦରମା, ଫେରାର ହେଲେ କର୍ମଚାରୀ

ଚିଲି: ଚାକିରି ଖଣ୍ଡେ ପାଇବା ପାଇଁ ଲୋକମାନେ କଠିନ ପରିଶ୍ରମ କରନ୍ତି, ଚାକିରି କରୁଥିବା ବ୍ୟକ୍ତିମାନେ ମଧ୍ୟ ସେମାନଙ୍କର କାର୍ଯ୍ୟ ଠିକ ଭାବରେ ସମାପ୍ତ କରି ମାସ ଶେଷକୁ ଦରମା ପାଇବା ଆଶାରେ ଥାଆନ୍ତି | କିନ୍ତୁ କଳ୍ପନା କରନ୍ତୁ ଯେ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରେ ମାସକର ଦରମା ବଦଳରେ ଯଦି ୨୮୬ ମାସର ଦରମା ଏକାସାଙ୍ଗରେ ଆସିଯାଏ, ତେବେ କର୍ମଚାରୀ ଜଣକ ନିଶ୍ଚିତ ଚକିତ ହୋଇଯିବେ | ଏପରି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ହଠାତ୍ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରେ ଏତେ ଟଙ୍କା ଆସିଥିଲା ​​ଯେ ସେ ଏହାକୁ ବିଶ୍ୱାସ କରିପାରିନଥିଲେ | ତା’ପରେ ଏପରି କିଛି ଘଟିଲା ଯାହାକୁ ବୋଧହୁଏ କେହି କଳ୍ପନା କରିପାରିନଥିଲେ | ବାସ୍ତବରେ ଏହି ଘଟଣା ଚିଲିରୁ ଆସିଛି |

ଏକ ରିପୋର୍ଟ ଅନୁଯାୟୀ, ଗତ ମାସରେ ଏକ ଚିଲିର ଏକ କମ୍ପାନିର ଜଣେ କର୍ମଚାରୀଙ୍କ ଆକାଉଣ୍ଟକୁ ୨୮୬ ମାସର ଦରମା ଭୁଲବଶତଃ ଆସିଯାଇଥିଲା | ଯେତେବେଳେ ବ୍ୟକ୍ତି ଜଣକ ତାଙ୍କ ଆକାଉଣ୍ଟକୁ ଯାଞ୍ଚ କଲେ, ସେ ଏହାକୁ ବିଶ୍ୱାସ କରିପାରିଲେ ନାହିଁ | କିନ୍ତୁ ଯେତେବେଳେ ସେ ତାଙ୍କ ବେତନରେ ୨୮୬ ଗୁଣ ଅଧିକ ଆସିଥିବାର ଜାଣିପାରିଲେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ଅନ୍ୟପକ୍ଷରେ, କମ୍ପାନି କର୍ତୃପକ୍ଷ ଏ ବିଷୟରେ ଜାଣିବା ମାତ୍ରେ ଭୁଲ ବୁଝିପାରିଥିଲେ | କମ୍ପାନି କର୍ତୃପକ୍ଷ ସେହି କର୍ମଚାରୀଙ୍କ ସହ ଯୋଗାଯୋଗ କରି କାର୍ଯ୍ୟାଳୟକୁ ଡକାଇଥିଲେ ।

ଯେତେବେଳେ କର୍ମଚାରୀଙ୍କୁ ଟଙ୍କା ଫେରସ୍ତ କରିବାକୁ କୁହାଗଲା, ସେ କମ୍ପାନିକୁ ପ୍ରତିଶୃତି ଦେଇଥିଲେ ଯେ ସେ ଶୀଘ୍ର ଟଙ୍କା ଫେରସ୍ତ କରିବେ । ସେ ଟଙ୍କା ଫେରସ୍ତ କରିବାକୁ ରାଜି ହୋଇଥିଲେ କିନ୍ତୁ ବୋଧହୁଏ ତାଙ୍କୁ ଏତେ ଲୋଭ ଆସିଯାଇଥିଲା ଯେ ସେ କମ୍ପାନିରୁ ଇସ୍ତଫା ଦେଇ ଫେରାର ହୋଇଯାଇଛନ୍ତି | ଖବର ଅନୁଯାୟୀ କମ୍ପାନି ତାଙ୍କୁ ବେତନ ହିସାବରେ ପାଖାପାଖି ୧.୫ କୋଟି ଟଙ୍କା ପଠାଇଥିଲା। ଯେତେବେଳେ କମ୍ପାନିର ରେକର୍ଡଗୁଡିକ ଯାଞ୍ଚ କରାଯାଇଥିଲା ସେତେବେଳେ ଏହି ଭୁଲଟି ସାମ୍ନାକୁ ଆସିଥିଲା |

ସମ୍ବନ୍ଧିତ ଖବର