ନୂଆଦିଲ୍ଲୀ : ୟୁକ୍ରେନ୍ ରାଜଧାନୀ କିବ୍ରୁ ରୁଷ୍ ଏବେ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର କରି ସାରିଛି। ୟୁକ୍ରେନ୍ର ଅନ୍ୟ ସ୍ଥାନରେ ବିଶେଷ କରି ପୂର୍ବ ଏବଂ ଦକ୍ଷିଣ ଅଞ୍ଚଳରେ ରୁଷ୍ ସୈନ୍ୟ ମୁତୟନ ଆଶାତୀତ ଭାବେ ବଢ଼ିଛି ବୋଲି ଆମେରିକାର ଜଣେ ବରିଷ୍ଠ ପ୍ରତିରକ୍ଷା ଅଧିକାରୀ କହିଛନ୍ତି। ନିକଟରେ ୟୁକ୍ରେନ୍ ଦାବି କରିଥିଲା ଯେ ଏହାର ସୈନ୍ୟବାହିନୀ କିବ୍କୁ ପୁଣି ନିୟନ୍ତ୍ରଣକୁ ନେଇ ଯାଇଛନ୍ତି। ସମସ୍ତ ରୁଷ୍ ସୈନିକ କିବ୍ ଅଂଚଳ ଛାଡ଼ି ସାରିଛନ୍ତି। କିବ୍ ସମେତ ଚେର୍ନିହିବରୁ ମଧ୍ୟ ରୁଷ୍ ସେନା ପ୍ରତ୍ୟାହାର କରି ସାରିଛି। କିନ୍ତୁ କିବ୍ ଉପରେ ଏବେ ବି ବିପଦ ରହିଛି ବୋଲି ଆମେରିକୀୟ ଅଧିକାରୀ କହିଛନ୍ତି।
ଅନ୍ୟପକ୍ଷରେ ଆକ୍ରମଣରେ ସଂପୂର୍ଣ୍ଣ ଛାରଖାର ହୋଇଯାଇଥିବା ମାରିୟୁପୋଲ୍ରେ ଏବେ ବି ୧,୬୦,୦୦୦ ଲୋକ ଫସି ରହିଛନ୍ତି। ମାରିୟୁପୋଲ୍ରେ ବି ରୁଷ୍ ସେନା ଲଗାତାର ବିମାନ ଆକ୍ରମଣ ଜାରି ରଖିଛି। ସେଠାରେ ଲୋକମାନେ ଅତି ଦୟନୀୟ ସ୍ଥିତିରେ ରହିଛନ୍ତି। ସେମାନଙ୍କ ନିକଟରେ ଖାଦ୍ୟ, ପାଣି, ଔଷଧ ଏବଂ ଯୋଗାଯୋଗର କୌଣସି ସୁବିଧା ବି ନାହିଁ। ରୁଷ୍ ମାରିୟୁପୋଲ୍କୁ ସମ୍ପୂର୍ଣ୍ଣ ଧ୍ବଂସ କରିବାକୁ ଚାହୁଛି ବୋଲି ୟୁକ୍ରେନ୍ର ସାମରିକ କମାଣ୍ଡର କହିଛନ୍ତି। ଇତି ମଧ୍ୟରେ ଆଜି ୧୦ଟି ଉଦ୍ଧାର କରିଡର ଖୋଲିଛି ବୋଲି ୟୁକ୍ରେନ୍ର ଉପପ୍ରଧାନମନ୍ତ୍ରୀ ଇରିନା ଭେରେଶ୍ଚୁକ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ରାତିରେ ଜାପୋରିଜିଆ ସହରରେ ୟୁକ୍ରେନ୍ର ବାୟୁ ପ୍ରତିରକ୍ଷା ନିରୋଧ ବ୍ୟବସ୍ଥା ୩ଟି କ୍ରୁଜ୍ ମିସାଇଲ୍କୁ ଖସାଇ ଦେଇଥିଲା। ବୁସାରେ କର୍ଫ୍ୟୁ ଘୋଷଣା ହୋଇଛି। ଲୁଟ୍ପାଟ୍ ପାଇଁ ବୁସାରେ କର୍ଫ୍ୟୁ ହୋଇଛି ବୋଲି ଜଣେ ବରିଷ୍ଠ ୟୁକ୍ରେନୀୟ ଅଧିକାରୀ କହିଛନ୍ତି। ଇତି ମଧ୍ୟରେ ରୁଷ୍ ଆଜି କହିଛି ଯେ ଏହାର କ୍ଷେପଣାସ୍ତ୍ର ୪ଟି ସହରରେ ତୈଳ ଗଚ୍ଛିତ ରହୁଥିବା ପ୍ରତିଷ୍ଠାନକୁ ଧ୍ବଂସ କରିଦେଇଛି।