୨୦୨୧ରେ ୧.୬୩ ଲକ୍ଷ ଲୋକ ଭାରତୀୟ ନାଗରିକତା ଛାଡ଼ିଛନ୍ତି

ନୂଆଦିଲ୍ଲୀ : ଭାରତର ନାଗରିକତା ଛାଡ଼ୁଥିବା ଲୋକମାନଙ୍କ ସଂଖ୍ୟା ବିଗତ କିଛି ବର୍ଷରେ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି ।  ୨୦୨୧ରେ ରେକର୍ଡ ୧ ଲକ୍ଷ ୬୩ ହଜାର ଲୋକ ନିଜ ଭାରତୀୟ ନାଗରିକତା ଛାଡ଼ିଥିବା ସୂଚନା ଦେଇଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ । ବହୁଜନ ସମାଜପାର୍ଟି ସାଂସଦ ହାଜି ଫଜଲୁର ରେହେମାନଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଗୃହରାଷ୍ଟ୍ରମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।

୨୦୧୯ରେ ୧ ଲକ୍ଷ ୪୪ ହଜାର ଜଣ ନିଜର ଭାରତୀୟ ନାଗରିକତା ଛାଡ଼ିଥିବାବେଳେ ୨୦୨୦ରେ ତାହା ୮୫,୨୫୬କୁ ହ୍ରାସ ପାଇଥିଲା । କରୋନା ମହାମାରୀ ଯୋଗୁଁ ୨୦୨୦ରେ ସଂଖ୍ୟା ହ୍ରାସ ପାଇଥିଲା । ବିଶେଷକରି ଲକଡାଉନ ଜାରି ହେବା ପରେ କେତେକଙ୍କ ଆବେଦନ ବକେୟା ରହିଥିଲା ଓ ସେଗୁଡ଼ିକୁ ୨୦୨୧ରେ ମଂଜୁର କରାଯିବା ଯୋଗୁଁ ଏହି ବର୍ଷର ଚୂଡ଼ାନ୍ତ ସଂଖ୍ୟା ରେକର୍ଡ ସ୍ତରରେ ପହଞ୍ଚିଲା ।

ଭାରତୀୟ ନାଗରିକତା ଛାଡ଼ିଥିବା ସର୍ବାଧିକ ୭୮,୨୮୪ ଜଣ ଆମେରିକାର ନାଗରିକତା ଗ୍ରହଣ କରିଥିବାବେଳେ ୨୩୫୩୩ ଜଣ ଅଷ୍ଟ୍ରେଲିଆର ନାଗରିକତା ଓ ୨୧,୫୯୭ ଜଣ କାନାଡାର ନାଗରିକତା ଗ୍ରହଣ କରିଛନ୍ତି ବୋଲି ଗୃହ ମନ୍ତ୍ରାଳୟ ତଥ୍ୟରୁ ଜଣାପଡ଼ିଛି ।

କେଉଁ କାରଣରୁ ଏତେ ସଂଖ୍ୟକ ଲୋକ ଭାରତୀୟ ନାଗରିକତା ଛାଡ଼ୁଛନ୍ତି ବୋଲି କରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ଗୃହରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଯେ ତାହାର କାରଣ ବ୍ୟକ୍ତିଗତ ହୋଇପାରେ ।

 

 

 

ସମ୍ବନ୍ଧିତ ଖବର