ଓ୍ଵାସିଂଟନ୍: ପାକିସ୍ତାନକୁ ଦିଆଯାଉଥିବା ୧. ୬୬ ବିଲିୟନ୍ ଡଲାର୍ ନିରାପତ୍ତା ସହାୟତା ରାଶି ଏ ବର୍ଷ ପ୍ରାରମ୍ଭରେ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ଙ୍କ ନିର୍ଦେଶନାମା ଅନୁଯାୟୀ ସ୍ଥଗିତ କରାଯାଇଥିବା କଥା ପେଣ୍ଟାଗନ୍ କହିଛି।
ପ୍ରତିରକ୍ଷା ବିଭାଗର ମୁଖପାତ୍ର କର୍ଣ୍ଣେଲ୍ ରବ୍ ମ୍ୟାନିଙ୍ଗ୍ ମଙ୍ଗଳବାର ଦିନ ଏକ ଇ-ମେଲ୍ ଉତ୍ତରରେ ସାମ୍ବାଦିକମାନଙ୍କୁ କହିଛନ୍ତି: ପାକିସ୍ତାନକୁ ଦିଆଯାଉଥିବା ୧. ୬୬ ବିଲିୟନ୍ ଡଲାର୍ର ନିରାପତ୍ତା ସହାୟତା ସ୍ଥଗିତ ଯାଇଛି।
ଆମେରିକୀୟ ବିଶେଷଜ୍ଞମାନେ କହନ୍ତି, ପାକିସ୍ତାନକୁ ଦିଆଯାଉଥିବା ସାମରିକ ସହାୟତା, ଯାହା ଏ ବର୍ଷ ଜାନୁଆରି ମାସରୁ ଲାଗୁ କରାଯାଇଛି, ହେଉଛି ଆମେରିକୀୟ ହତାଶାର ଏକ ଶକ୍ତିଶାଳୀ ସଙ୍କେତ।
ଓବାମା ପ୍ରଶାସନରେ ଆଫଗାନିସ୍ତାନ, ପାକିସ୍ତାନ ଏବଂ କେନ୍ଦ୍ରୀୟ ଏସିଆର ଡେପୁଟି ଆସିଷ୍ଟାଣ୍ଟ୍ ସେକ୍ରେଟାରି ଡିଫେନ୍ସ୍ ଭାବେ କାର୍ଯ୍ୟ କରିଥିବା ଡେଭିଡ୍ ସିଡ୍ନି କହନ୍ତି: ପାକିସ୍ତାନର ନେତାମାନେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଲେ, କିନ୍ତୁ କଥା ବ୍ୟତିରେକେ କୌଣସି ଗୁରୁତ୍ୱପୂର୍ଣ୍ଣ ସହଯୋଗ ମିଳିଲା ନାହିଁ। ତେଣୁ, ରାଷ୍ଟ୍ରପତି ଟ୍ରମ୍ପ୍ ଏବଂ ଅଧିକାଂଶ ଆମେରିକୀୟ ହତାଶ ହୋଇଯାଇଛନ୍ତି।
ସେ ଆହୁରି କହିଛନ୍ତି: ପାକିସ୍ତାନ ଯଦି ତାଲିବାନ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତା, ଆଫଗାନିସ୍ତାନକୁ ଜଲ୍ଦି ଶାନ୍ତି ଫେରି ଆସନ୍ତା।
ସେମିତି, ଯେଉଁ ସଂଗଠନ ସବୁ ଭାରତ ଏବଂ ପାକିସ୍ତାନ ବିରୋଧରେ କାର୍ଯ୍ୟରତ, ଯଦି ପାକିସ୍ତାନ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି ସେ ଭାରତ ସହ ହୋଇଥିବା ଆର୍ଥିକ ଚୁକ୍ତି ଠାରୁ ଢେର୍ ଅଧିକ ଆର୍ଥିକ ଉପକାର ପାଇପାରନ୍ତା।