ଦେଶରେ ସଂକ୍ରମିତ ୧.୪୫ ଲକ୍ଷ ପାର, ୪ ରାଜ୍ୟରେ ୬୮% ମାମଲା

ନୂଆଦିଲ୍ଲୀ: କରୋନା ସଂକ୍ରମିତଙ୍କ ସଂଖ୍ୟା ଆଜି ୧ .୪୫ ଲକ୍ଷ‌ ଅତିକ୍ରମ କରିଯାଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ରାଜ୍ୟରୁ ୬,୫୩୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶରେ ଲଗାତାର ୪ ଦିନ ଧରି ମାମଲା ୬୫୦୦ରୁ ଉପରେ ରହୁଛି। ଫଳରେ ଦେଶ‌ର ବିଭିନ୍ନ ଅଂଚଳରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇସାରିଥିବା ଆଶଙ୍କା କରାଯାଉଛି। କରୋନା ମହାମାରୀରେ ସର୍ବାଧିକ ପ୍ରଭାବିତ ୧୦ଟି ରାଷ୍ଟ୍ର ମଧ୍ୟରେ ଏବେ ଭାରତ ରହିଥିଲେ ମଧ୍ୟ ଦେଶରେ ମୃତ୍ୟୁହାର ‌ଅନ୍ୟ ରାଷ୍ଟ୍ର ତୁଳନାରେ ଯଥେଷ୍ଟ କମ୍‌ ରହିଛି। ଦେଶବ୍ୟାପୀ କରୋନାରେ ପ୍ରାୟ ୪୨୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ କେବଳ ମହାରାଷ୍ଟ୍ରରେ ୧୭ ଶହ ଲୋକଙ୍କ ମୃତ୍ୟୁ ଘଟିଛି।

ଦେଶରେ ଏବେ ମୋଟ କରୋନା ମାମଲାର ୬୮ ପ୍ରତିଶତ କେବଳ ୪ଟି ରାଜ୍ୟରେ ରହିଥିବା ଜଣାପଡ଼ିଛି। ସେହି ରାଜ୍ୟଗୁଡ଼ିକ ହେଲା ମହାରାଷ୍ଟ୍ର, ତାମିଲନାଡ଼ୁ, ଗୁଜରାଟ ଏବଂ ଦିଲ୍ଲୀ। ମହାରାଷ୍ଟ୍ରରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ଅତିକ୍ରମ କରିଯାଇଛି। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାରରୁ ଅଧିକ ରହିଛି। ତାମିଲନାଡ଼ୁରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ଅତିକ୍ରମ କରିଯାଇଛି ଏବଂ ଗତକାଲି ଗୋଟିଏ ଦିନରେ ୮୦୫ ନୂଆ ମାମଲା ଠାବ ହୋଇଛି। ଏଥରୁ ଚେନ୍ନାଇ ସହରରେ କେବଳ ୫୪୯ ମାମଲା ଠାବ ହୋଇଥିବାରୁ ଆତଙ୍କ ଖେଳିଯାଇଛି। ଦେଶର ତୃତୀୟ ସର୍ବାଧିକ କରୋନା ପ୍ରଭାବିତ ରାଜ୍ୟ ଗୁଜରାଟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୫୦୦ରେ ପହଞ୍ଚିଛି ଏବଂ ବିଗତ ୨୪ ଘଣ୍ଟା ମଧ୍ୟରେ ୩୧୦ ଜଣ ନୂଆ ଆକ୍ରାନ୍ତ ଠାବ ହୋଇଛି। ମହାରାଷ୍ଟ୍ର ପରେ ଗୁଜରାଟରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ୮୯୦ ହୋଇଛି। କେବଳ ଅହମଦାବାଦରେ ୭୨୨ ଜଣଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର