ଦେଶର ମୋଟ ସକ୍ରିୟ କରୋନା ସଂକ୍ରମିତଙ୍କ ମଧ୍ୟରୁ ୧.୯୨% ଆଇସିୟୁରେ ଅଛନ୍ତି : ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଭାରତରେ କରୋନା ସ୍ଥିତିରେ ଦ୍ରୁତ ଉନ୍ନତି ପରିଲକ୍ଷିତ ହେଉଛି । ଏବେ ଦେଶରେ ଯେତିକି ଲୋକ ଆରୋଗ୍ୟ ଲାଭ କରିଛନ୍ତି ସକ୍ରିୟ ସଂକ୍ରମିତ ସଂଖ୍ୟାର ତାହା ହେଉଛି ୩.୪ ଗୁଣ । ସକ୍ରିୟ ରୋଗୀଙ୍କ ମଧ୍ୟରୁ ଅଧିକାଂଶ ଭଲ ସ୍ଥିତିରେ ଅଛନ୍ତି, ମାତ୍ର ୧.୯୨ ପ୍ରତିଶତ ଆଇସିୟୁରେ ଅଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଚିବ ରାଜେଶ ଭୁଷଣ କହିଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀ ଅବସରରେ ସେ କହିଛନ୍ତି ଯେ ଦେଶରେ ଏପର୍ଯ୍ୟନ୍ତ ୨୪ ଲକ୍ଷରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି ଓ ଦେଶର ଆରୋଗ୍ୟ ହାର ୭୫ ପ୍ରତିଶତ ଟପିଯାଇଛି ଓ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ମାତ୍ର ୨୨.୨ ପ୍ରତିଶତ ରହିଛି । ତେବେ ଦେଶରେ କରୋନା ମୃତ୍ୟୁହାର ୧.୫୮ ପ୍ରତିଶତ ରହିଛି ଯାହାକି ବିଶ୍ୱରେ କେତୋଟି ସର୍ବନିମ୍ନ ହାର ମଧ୍ୟରେ ଅନ୍ୟତମ ।

ସେ ଆହୁରି ମଧ୍ୟ କହିଛନ୍ତି ଦେଶର ୭,୦୪୩୪୮ ଜଣ ସକ୍ରିୟ ସଂକ୍ରମିତଙ୍କ ମଧ୍ୟରୁ ମାତ୍ର ୨.୭ ପ୍ରତିଶତ ଅମ୍ଲଜାନ ସହାୟତାରେ ଅଛନ୍ତି, ୧.୯୨ ପ୍ରତିଶତ ରୋଗୀ ଆଇସିୟୁ, ୦.୨୯ ପ୍ରତିଶତ ଭେଣ୍ଟିଲେଟର ସହାୟତାରେ ଅଛନ୍ତି । ଗତ ୨୪ ଘଣ୍ଟାରେ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୬୪୦୦ ଟି ହ୍ରାସ ପାଇଛି ।

ଅନ୍ୟପକ୍ଷରେ ସାରା ଦେଶରେ ଏବେ ସୁଦ୍ଧା ମୋଟ ୩.୬ କୋଟି କରୋନା ପରୀକ୍ଷା ହୋଇସାରିଲାଣି ବୋଲି ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବନ୍ଧିତ ଖବର