କେରଳ ଅନ୍ତଃସତ୍ତ୍ବା ହାତୀ ମୃତ୍ୟୁ ଘଟଣାରେ ଜଣେ ଗିରଫ: ବନ ବିଭାଗ ମନ୍ତ୍ରୀ କେ. ରାଜୁ

ତିରୁବନନ୍ତପୁରମ୍: କେରଳର ପାଲାକ୍କଡ଼ରେ ଗୋଟାଏ ଅନ୍ତଃସତ୍ତ୍ବା ହାତୀକୁ ନିର୍ମମ ହତ୍ୟା କରାଯିବା ଘଟଣାରେ ସମ୍ପୃକ୍ତ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଥିବା କଥା ରାଜ୍ୟ ବନମନ୍ତ୍ରୀ କେ. ରାଜୁ ଶୁକ୍ରବାର ଦିନ କହିଛନ୍ତି।

ପୁଲିସ ଏବଂ ବନ ବିଭାଗର ମିଳିତ ତଦନ୍ତକାରୀ ଟିମ୍ ଦୁହିଁଙ୍କୁ ଧରିଥିବା କଥା ଜଣାପଡ଼ିଛି। ଗିରଫ ବ୍ୟକ୍ତିଜଣକ ହେଉଛନ୍ତି ଅର୍ଥକାରୀ ଏକ ଫସଲ ଓ ମସଲା ଚାଷ କରୁଥିବା ଇଷ୍ଟେଟ୍‌ର ଅନ୍ୟତମ କର୍ମଚାରୀ ପି ୱିଲ୍‌ସନ୍। ସନ୍ଧ୍ୟା ସୁଦ୍ଧା ଆହୁରି ଅଧିକ ବ୍ୟକ୍ତିଙ୍କୁ ଗିରଫ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Image Courtesy of India Today

ଅନୁସନ୍ଧାନକାରୀଙ୍କୁ ଧରାପଡ଼ିଥିବା ଦୁଇ ବ୍ୟକ୍ତି କହିଛନ୍ତି ଯେ ସବୁବେଳେ ଫସଲ ନଷ୍ଟ କରୁଥିବା ବନ୍ୟ ବରାହମାନଙ୍କୁ ଘଉଡ଼ାଇବାକୁ ସେମାନେ ଜାଲରେ ବିସ୍ଫୋରକ ଭରା ଫଳ ବସାଇଥାଆନ୍ତି।

ଅନ୍ତଃସତ୍ତ୍ବା ହାତୀର ମୃତ୍ୟୁ ଦେଖି ମୋହନ କୃଷ୍ଣନ୍ ନାମକ ଜଣେ ବନ ଅଧିକାରୀ ଫେସ୍‌ବୁକ୍‌ ପୋଷ୍ଟ୍‌ରେ ସେ ପ୍ରସଙ୍ଗ ଲେଖିବା ପରେ ଘଟଣାଟି ଲୋକଲୋଚନକୁ ଆସିବା ସହ ସମଗ୍ର ଦେଶରେ ଆଲୋଡ଼ନ ଓ ବିବାଦ ସୃଷ୍ଟି ହୋଇଥିଲା।

ଏହି ଘଟଣାରେ ଲଜ୍ଜିତ ରାଜ୍ୟ ସରକାର ଗୁରୁବାର ଦିନ ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିଥିଲା।

ସମ୍ବନ୍ଧିତ ଖବର