ବିଶ୍ୱରେ ରହିଛି ଶହେ କୋଟି ଛୋଟ ଅସ୍ତ୍ର: ଆମେରିକାରେ ୪୬%, ୨ୟ ସ୍ଥାନରେ ଥିବା ଭାରତ ପାଖରେ ୭କୋଟି
ଯୁଦ୍ଧାସ୍ତ୍ର ମାମଲାରେ ରୁଷିଆ ପ୍ରଥମ, ଚୀନ ଦ୍ୱିତୀୟ ଥିବା ବେଳେ ୫ମ ସ୍ଥାନରେ ଆମେରିକା
ନ୍ୟୁୟର୍କ: ବିଶ୍ୱରେ ବର୍ତ୍ତମାନ ପ୍ରାୟ ୧୦୦ କୋଟିରୁ ଅଧିକ ଛୋଟ ଅସ୍ତ୍ର ଅଛି। ଏଥିରୁ ୮୫ କୋଟି ୭୦ ଲକ୍ଷ ସାଧାରଣ ଲୋକଙ୍କ ପାଖରେ ରହିଛି। ସେହିଭଳି ଯୁଦ୍ଧାସ୍ତ୍ର ମାମଲାରେ ରୁଷିଆ ପ୍ରଥମ, ଚୀନ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ୫ମ ସ୍ଥାନରେ ରହିଛି ଆମେରିକା। ଜେନିଭାର ଏକ ରିପୋର୍ଟରେ କୁହାଯାଇଛି ଆମେରିକାରେ ରହୁଥିବା ଲୋକଙ୍କ ପାଖରେ ଆଇନ୍ ଓ ବେଆଇନ ଭାବରେ ୩୯ କୋଟି ୩୩ ଲକ୍ଷ ଅସ୍ତ୍ର ଅଛି। ଛୋଟ ଅସ୍ତ୍ର କାରବାରରେ ବିଶ୍ୱସ୍ତରରେ ଭାରତର ସ୍ଥାନ ଦ୍ୱିତୀୟ। ଭାରତରେ ୭ କୋଟି ୧୧ ଲକ୍ଷ ଛୋଟ ଅସ୍ତ୍ର ଅଛି। ସେହିଭଳି ୪ କୋଟି ୩୯ ଲକ୍ଷ ଅସ୍ତ୍ର ରଖିବା ସହିତ ପାକିସ୍ତାନ ୩ ନମ୍ବରରେ ଥିବା ବେଳେ ୪ର୍ଥ ସ୍ଥାନରେ ଅଛି ରୁଷିଆ, ଯାହାର ପାଖରେ ୭୬ ଲକ୍ଷ ଛୋଟ ଅସ୍ତ୍ର ଅଛି।
Sambad is now on WhatsApp
Join and get latest news updates delivered to you via WhatsApp
‘ଦ ସ୍ମଲ ଆର୍ମସ ସର୍ଭେ’ର ଲେଖକ ଓ ଭର୍ଜିନିଆର ଓଲଡ୍ ଡୋମିନିକନ ୟୁନିଭରସିଟିର ଅଧ୍ୟାପକ ଆରୋନ କାର୍ପ କହିଛନ୍ତି, ସାଧାରଣ ଲୋକଙ୍କ ପାଖରେ ଯେତେ ଅସ୍ତ୍ର ଅଛି, ଏହାର ୪୬ ପ୍ରତିଶତ ଆମେରିକାବାସୀଙ୍କ ନିକଟରେ ରହିଛି। ଆମେରିକୀୟମାନେ ପ୍ରତ୍ୟେକ ବର୍ଷ ୧ କୋଟି ୪୦ ଲକ୍ଷ ନୂଆ ଅସ୍ତ୍ର କିଣିଥାନ୍ତି। ରିପୋର୍ଟରେ ଆଇନ-ବେଆଇନ ଭାବରେ ଲୋକମାନେ ଅସ୍ତ୍ର ରଖୁଥିବା କୁହାଯାଇଛି। ଏଥିରେ ହ୍ୟାଣ୍ଡଗନ୍, ରାଇଫଲ, ସର୍ଟଗନ ଓ ମେସିନ ଗନ୍ ସାମିଲ ଅଛି। ୧୦୦ କୋଟି ଅସ୍ତ୍ରରୁ ୧ କୋଟି ୩୩ ଲକ୍ଷ ମିଲିଟାରୀ ଫୋର୍ସ ଓ ୨ କୋଟି ୨୭ ଲକ୍ଷ ଗୁଇନ୍ଦା ସଂସ୍ଥା ପାଖରେ ରହିଛି।
ଆମେରିକାରେ ୧୦୦ ଲୋକଙ୍କ ପାଖରେ ୧୨୧ ଅସ୍ତ୍ର
ଅନ୍ୟ ଦେଶଗୁଡ଼ିକର ତୁଳନାରେ ଆମେରିକୀୟମାନେ ଅସ୍ତ୍ରଶସ୍ତ୍ର ରଖିବାକୁ ଅଧିକ ଭଲ ପାଉଛନ୍ତି। ଭାରତ, ଚୀନ ଓ ରୁଷିଆ ତୁଳନାରେ ଆମେରିକାରେ ୧୦୦ ଲୋକଙ୍କ ପାଖରେ ୧୨୧ଟି ଅସ୍ତ୍ର ରହୁଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଶ୍ରେଷ୍ଠ ୨୫ ତାଲିକାରେ ଭାରତ, ଚୀନ ଓ ରୁଷିଆକୁ ସ୍ଥାନ ମିଳି ନାହିଁ। ଅସ୍ତ୍ରଶସ୍ତ୍ର ରଖିବା ମାମଲାରେ ପାକିସ୍ତାନକୁ ୨୦ତମ, ଲେବାନନ-ଦ୍ୱୀପ ୩୨ତମ, ସର୍ବିଆକୁ ୩୯ତମ, କାନାଡା-ଉରୁଗୁଏକୁ ୩୫ତମ ଓ ୟେମେନକୁ ୫୩ତମ ସ୍ଥାନ ମିଳିଛି।