ମଣିପୁରରେ ଥମୁନି ହିଂସା: ଗୁଳିମାଡରେ ଯବାନ ସହିଦ, ଜୁନ୍‌ ୧୦ ତାରିଖ ପର୍ଯ୍ୟନ୍ତ ଇଣ୍ଟର୍‌ନେଟ୍‌ ସେବା ବନ୍ଦ୍‌

ଇମ୍ପାଲ: ମଣିପୁର ହିଂସା ଥମିବାର ନାଁ ଧରୁନାହିଁ। ବିଦ୍ରୋହୀ ଦଳ ଏବଂ ସୁରକ୍ଷା କର୍ମୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ବିଏସ୍‌ଏଫ୍‌ ଯବାନ ସହିଦ ହେବା ପରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଛି।

ଏ ନେଇ ଭାରତୀୟ ସେନା ପକ୍ଷରୁ ଏକ ବିବୃତି ଜାରି କରାଯାଇ କୁହାଯାଇଛି ‌‌ଯେ ଏହି ଗୁଳି ବିନିମୟରେ ଆହତ ହୋଇଥିବା ଦୁଇ ଜଣ ଆସାମ ରାଇଫଲ୍‌ର ଯବାନଙ୍କୁ ହସ୍ପିଟାଲ୍ ସ୍ଥାନାନ୍ତର କରାଯାଇଥିବା ବେଳେ ସର୍ଚ ଅପରେସନ ଜାରି ରହିଛି।

ହିଂସା ପ୍ରଭାବିତ ମଣିପୁରରେ ଆଇନ୍‌ ଶୃଙ୍ଖଳା ବଜାୟ ରଖିବା ପାଇଁ ସଂପୃକ୍ତ ଅଞ୍ଚଳରେ ଇଣ୍ଟରନେଟ୍‌ ନିଷିଧାଦେଶକୁ ଜୁନ୍‌ ୧୦ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ରାଜ୍ୟରେ ଶାନ୍ତି ବଜାୟ ରଖିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ ୧୦ ହଜାର ସେନା ଯବାନ ଏବଂ ଆସାମ ରାଇଫଲ୍ କର୍ମୀଙ୍କୁ ନିୟୋଜିତ କରାଯାଇଛି।

ମଣିପୁରର ବିଭିନ୍ନ ଅଞ୍ଚଳରେ ଜାତିଆଣ ହିଂସାକୁ ନେଇ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଥିବା ବେଳେ ଗତକାଲି ଜାତୀୟ ରାଜପଥ-୨ରେ ବଡ଼ ଧରଣର ଅବରୋଧ ଦେଖିବାକୁ ମିଳିଥିଲା।

ଏହି ଗୁରୁତ୍ବପୂର୍ଣ୍ଣ ମାର୍ଗ ଦେଇ ପରିବହନ ବ୍ୟବସ୍ଥା ଠପ୍‌ ହୋଇଯାଇଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ ଦେଖିବାକୁ ମିଳିଛି। ପେଟ୍ରୋଲ କଳାବଜାରରେ ଲିଟର ପିଛା ୨ ଶହ ଟଙ୍କାରେ ବିକ୍ରି ହେଉଥିବା ବେଳେ ଜୀବନ ରକ୍ଷାକାରୀ ଔଷଧର ଘୋର ଅଭାବ ଦେଖିବାକୁ ମିଳିଛି। ଏଟିଏମ୍‌ଗୁଡ଼ିକ ଖାଲି ପଡ଼ିଛି ଏବଂ ଦୋକାନ ବଜାର ମାତ୍ର କିଛି ଘଣ୍ଟା ପାଇଁ ଖୋଲୁଛି। ପରିସ୍ଥିତିକୁ ସ୍ବାଭାବିକ କରିବା ପାଇଁ ଜନସାଧାରଣ ତୁରନ୍ତ ଏହି ଅବରୋଧ ହଟାଇ ଜାତୀୟ ରାଜପଥ-୨କୁ ସ୍ବାଭାବିକ କରିବା ପାଇଁ ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧିତ ଖବର