ନୂଆଦିଲ୍ଲୀ: ଦେଶରେ ଏବେ ୧ କୋଟି ୧୫ରୁ ୧୮ ବର୍ଷ ବୟସ୍କ ପିଲାମାନେ କ‌ରୋନା ଟିକାର ଦୁଇଟି ଡୋଜ ନେଇ ସାରିଲେଣି । ଜାନୁଆରି ୩ରୁ ଦେଶରେ ୧୫-୧୮ ବର୍ଷ ପିଲାଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇଥିବା ବେଳେ ସପ୍ତାହକ ମଧ୍ୟରେ ଏହା ୨ କୋଟି ଟପିଯାଇଥିଲା। ଏବେ ଟିକାକରଣକୁ ତ୍ବରାନ୍ବିତ କରାଯାଉଥିବା ବେଳେ ମାସକ ମଧ୍ୟରେ ୧କୋଟି ପିଲା କରୋନା ଟିକାର ଦୁଇଟି ଡୋଜ ନେଇସାରିଥିବା କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ। ଏହା ସହ ଏହି ବୟସ ବର୍ଗରେ ୫.୦୪ କୋଟିରୁ ଅଧିକ ହିତାଧିକାରୀଙ୍କୁ ଟିକାର ପ୍ରଥମ ଡୋଜ ଦିଆଯାଇଥିବା ସେ କହିଛନ୍ତି। ଭାରତ ହାସଲ କରିଥିବା ଏହି ମାଇଲଖୁଣ୍ଟ ବିଷୟରେ ଟ୍ବିଟ କରି ଜଣାଇଛନ୍ତି ମନସୁଖ ମାଣ୍ଡବ୍ୟ।

Advertisment

୨୪ ଘଣ୍ଟା ମଧ୍ୟରେ ଟିକାର ୫୩.୬୧ ଲକ୍ଷରୁ ଅଧିକ ଡୋଜ ଦିଆଯିବା ସହ ଦେଶରେ ମୋଟ୍‌ ଟିକାକରଣ ସଂଖ୍ୟା ୧୭୦.୮୭ କୋଟି (୧,୭୦,୮୭,୦୬,୭୦୫) ଅତିକ୍ରମ କରିଛି।

ତେବେ ଦେଖିବାକୁ ଗଲେ ଟିକାକରଣ ବଢ଼ିବା ସହ ଦେଶରେ ସଂକ୍ରମଣ ସଂଖ୍ୟା ମଧ୍ୟ କମୁଛି। ଆଜି ଦେଶରେ ୨୪ ଘଣ୍ଟା ମଧ୍ୟରେ ୭୧,୩୬୫ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୧,୨୧୭ ମୃତ୍ୟୁ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୨୪,୧୦,୯୭୬ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ହୋଇଥିବା ୧,୨୧୭ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫,୦୫,୨୭୯ରେ ପହଞ୍ଚିଛି।